ବାମପନ୍ଥୀ ଓ ଜେଏମଏମକୁ ୩ଲୋକସଭା;୨୬ ବିଧାନସଭା ଛାଡ଼ିବ କଂଗ୍ରେସ
ବାମପନ୍ଥୀ ଓ ଜେଏମଏମ ସହ କଂଗ୍ରେସ ମହାମେଣ୍ଟ କରିବା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ରାଜ୍ୟରେ ହେବାକୁ ଥିବା ମହାମେଣ୍ଟରେ ସହଯୋଗୀ ଦଳମାନଙ୍କ ପାଇଁ କଂଗ୍ରେସ ୩ଟି ଲୋକସଭା ଆସନ ଓ ୨୬ଟି ବିଧାନସଭା ଆସନ ଛାଡ଼ିବ ବୋଲି ଆଲୋଚନା ହେଉଛି। ବାମପନ୍ଥୀ ଓ ଜେଏମଏମ ସହଯୋଗୀମାନେ ୩ ଲୋକସଭା ଓ ୨୬ ବିଧାନସଭା ଆସନ ମାଗିଥିବାବେଳେ କେତେ ଆସନ ସହଯୋଗୀଙ୍କୁ ଦିଆଯିବ ସେନେଇ ଚୂଡ଼ାନ୍ତ ନିଷ୍ପତି ହୋଇପାରିନାହିଁ । ତେବେ କଂଗ୍ରେସ ନିକଟରେ ଏବେ ମାତ୍ର ୫୦ରୁ ୬୦ ଟାଣୁଆ ପ୍ରାର୍ଥୀ ଥିବାରୁ ଦଳ ବିନା ଦ୍ୱିଧାରେ ସହଯୋଗୀଙ୍କ ଦାବି ମାନିନେବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି। ଏମିତିକି ଯଦି ନୂତନ ଆଞ୍ଚଳିକ ଦଳ ମୁଣ୍ଡ ଟେକେ ତେବେ ତାହାକୁ ମଧ୍ୟ ଆସନ ଛାଡ଼ିବାକୁ କଂଗ୍ରେସ ପ୍ରସ୍ତୁତ ଥିବା ଜଣାପଡ଼ିଛି ।

ସିପିଆଇ, ସିପିଏମ ଓ ଜେଏମଏମ ସହ ମହାମେଣ୍ଟ କରିବା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଥିଲା। ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏନେଇ ବହୁବାର ଆଲୋଚନା କରିଥିବାବେଳେ ମହାମେଣ୍ଟ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସିପିଏମ ଭୁବନେଶ୍ୱର ଲୋକସଭା ସମେତ ୭ଟି ବିଧାନସଭା ମାଗିଛି । ଭୁବନେଶ୍ୱରରୁ ସିପିଏମ ଜନାର୍ଦ୍ଧନ ପତିଙ୍କୁ ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ମଧ୍ୟ ହୋଇଯାଇଛି । ଅପରପକ୍ଷରେ ସିପିଆଇ ଆସ୍କା ଲୋକସଭା ସମେତ ୧୨ ବିଧାନସଭା ଆସନ ମାଗିଛି । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟ ମୟୂରଭଞ୍ଜ ଲୋକସଭା ଆସନ ସମେତ ୭ ଆସନ ଦାବି କରିଛି । ମୟୂରଭଞ୍ଜରୁ ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ଝିଅ ଲଢ଼ିବେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ପୂର୍ବରୁ ଶିବୁଙ୍କ ଝିଅ ଅଞ୍ଜନୀ ସୋରେନ ଏନେଇ ଘୋଷଣା ମଧ୍ୟ କରିସାରିଛନ୍ତି।
ଏହି ତିନି ଦଳ ବ୍ୟତୀତ ଅନ୍ୟ ଦଳ ସହ ମଧ୍ୟ କଂଗ୍ରେସ ଯୋଗସୂତ୍ରରେ ରହିଛି । ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ, ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ସହ ମହାମେଣ୍ଟ ନେଇ ଆଲୋଚନା ହୋଇନଥିଲେ ମଧ୍ୟ ସେମାନେ ଯଦି ଚାହିଁବେ ତେବେ କଂଗ୍ରେସ ମଧ୍ୟ ଆସନ ଛାଡ଼ିବାକୁ ପ୍ରସ୍ତୁତ ରହିଛି ।