କିଏ ହେବ ପ୍ରଥମ ସାମରିକ ମୁଖ୍ୟ (ସିଡିଏସ୍), ଦୁଇଦିନ ଭିତରେ ହୋଇପାରେ ଘୋଷଣା
ଭୁବନେଶ୍ଵର, (ଓଟି): କିଏ ହେବେ ଭାରତର ପ୍ରଥମ ସାମରିକ ମୁଖ୍ୟ ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍। ସାମରିକ ବ୍ୟାପାର ବିଭାଗକୁ ପ୍ରତିନିଧିତ୍ଵ କରିବା ପାଇଁ ଏହି ୪-ତାରକା ବିଶିଷ୍ଟ ବରିଷ୍ଠ ଅଧିକାରୀ କିଏ ହେବେ ତାହାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ତେବେ ଭାରତ ସରକାରଙ୍କ ପାଖରେ ଥିବା ତାଲିକା ଭିତରୁ କେଉଁ ନାଁକୁ ନରେନ୍ଦ୍ର ମୋଦିଙ୍କ ସରକାର ବାଛିବେ ତାହା ଆଉ ଦିନେ ଦୁଇଦିନ ଭିତରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଇଛି।
ଏହି ତାଲିକାରେ ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ୍ଙ୍କ ନାଁ ବି ରହିଥିବା ଏଏନ୍ଆଇ ସୂଚନା ଦେଇଛି। ତେବେ ଅନ୍ୟମାନଙ୍କ ନାଁକୁ ଯାଞ୍ଚ କରାଗଲା ପରେ ସେ ବିଷୟରେ ସବିଶେଷ ଘୋଷଣା କରାଯିବ।
ସାମରିକ ମୁଖ୍ୟ ପଦବୀ ଏକ ନୂଆ ପଦବୀ ଏହାକୁ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ମଙ୍ଗଳବାର ଅପରାହ୍ନଣରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ଵାଧୀନତା ଦିବସ ଅଭିଭାଷଣରେ ଥିବା ତଥ୍ୟକୁ ଆଧାର କରି ଏପରି ପଦବୀ ସୃଷ୍ଟି କରାଯାଇଛଇ। ଏହି ପଦବୀ ଜଣେ ବରିଷ୍ଠ ସେନା ବାହିନୀ ଅଧିକାରୀଙ୍କ ହାତରେ ରହିବ। ଯିଏ ସମସ୍ତ ସାମରିକ ବ୍ୟାପାରକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ।
କ’ଣ ଉଦ୍ଦେଶ୍ୟ
ସାମରିକ ମୁଖ୍ୟଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ସେନା ବାହିନୀର ତିନୋଟି ଯାକ ପ୍ରମୁଖ ଅଙ୍ଗ ଭିତରେ ସମ୍ପର୍କକୁ ସୁଦୃଢ଼ କରିବା। ବର୍ତ୍ତମାନ ପରିପ୍ରେକ୍ଷୀରେ ଆବଶ୍ୟକ ପଡ଼ୁଥିବା ମିଳିତ ଅପରେସନ୍କୁ ଆଗକୁ ବଢ଼ାଇବା। ବର୍ତ୍ତମାନର ଅପରେସନ୍ କେବଳ ସ୍ଥଳ ବା ଜଳ ବା ଆକାଶ ବାହିନୀ ଉପରେ ନିର୍ଭର କରୁନାହିଁ। ବରଂ ପ୍ରତିଟି ଅପରେସନ୍ ଏବଂ ପ୍ରତିଟି ୱିଙ୍ଗ୍ରେ ଅନ୍ୟର ଆବଶ୍ୟକତା ପଡ଼ୁଛି। ଏଣୁ ଶତ୍ରୁ ପକ୍ଷର ଟାର୍ଗେଟ୍କୁ ନଷ୍ଟ କରିବାକୁ ହେଲେ ମିଳିତ ପ୍ରଚେଷ୍ଟା ଆବଶ୍ୟକ ବୋଲି ବିଚାର କରିଛନ୍ତି ମୋଦି ସରକାର।
ଏହି ସାମରିକ ମୁଖ୍ୟଙ୍କ ପଦବୀ ସୃଷ୍ଟି ପରେ ଏକ ମିଳିତ କମାଣ୍ଡ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି କମାଣ୍ଡ ସବୁଠାରୁ ଶକ୍ତିଶାଳୀ ହେବ। ଏହି କମାଣ୍ଡରେ ସବୁ ସେନାର ଅଧିକାରୀ ଓ ଟେକ୍ନୋଲୋଜିକୁ ମିଳିତ ଭାବେ ବ୍ୟବହାର କରାଯିବ।
ଏହି ସାମରିକ ମୁଖ୍ୟ ପଦବୀ ସୃଷ୍ଟି ଦ୍ଵାରା ସେନାବାହିନୀର ସମସ୍ତ ଶକ୍ତିକୁ କିପରି ଅଧିକ ବିନିଯୋଗ କରାଯାଇପାରିବ ସେ ନେଇ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହା ସେନାବାହିନୀ ପ୍ରଶଶସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ପାଇଁ ସୁଯୋଗ ଦେବ ବୋଲି ଆଶା କରାଯାଇଛି।
ବର୍ତ୍ତମାନ ଭାରତର ପ୍ରମୁଖ ତିନି ସେନା ବାହିନୀର ତିନିଜଣ ମୁଖ୍ୟ ସମାନ ପାହ୍ୟାରେ ଅବସ୍ଥାପିତ। ସ୍ଥଳବାହିନୀ, ଆକାଶ ବାହିନୀ ଏବଂ ନୌବାହିନୀ ମୁଖ୍ୟଙ୍କୁ ପ୍ରତି ଅପରେସନ୍ରେ ମିଳିତ ଭାବେ କାର୍ଯ୍ୟକରିବା କ୍ଷେତ୍ରରେ ଯେଉଁ ଅସୁବିଧା ଉପୁଜୁଛି ତାହା ଏହି ପ୍ରକାର ମିଳିତ ପଦବୀ ସୃଷ୍ଟି ଦ୍ଵାରା ସମ୍ଭବ ହୋଇପାରିବ।
ଏହି ପଦବୀରେ ଯେଉଁ ବ୍ୟକ୍ତିଙ୍କୁ ଅବସ୍ଥାପନ କରାଯିବ ସେ ଅନ୍ୟ ାକୗଣସି ପଦପଦବୀରେ ରହିବେ ନାହିଁ। କୌଣସି ଘରୋଇ ବା ସରକାରୀ କାର୍ଯ୍ୟକୁ ଗ୍ରହଣ କରିପାରିବେ ନାହିଁ।