#ଲକ୍‌ଡାଉନ୍‌ରେ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵରେ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ କ୍ଷେତ୍ର ଗୁରୁତ୍ଵର ଭାବେ ପ୍ରଭାବିତ ହୋଇଛି। ଭାରତରେ ମଧ୍ୟ ବିଗିଡ଼ି ଯାଇଛି ପରିସ୍ଥିତି। ବାଣିଜ୍ୟ-ବ୍ୟବସାୟ ଆଦି ସାଂଘାତିକ ଭାବେ ଉତ୍ଥାନ ପତନ ଦେଇ ଗତି କରିବାରେ ଲାଗିଛି। ଏଭଳି ସ୍ଥିତିରେ ଦେଶ ରହିଛି ୨୧ ଦିନିଆ #ଲକ୍‌ଡାଉନ୍‌ରେ। ପୂର୍ବ ଘୋଷଣା ଅନୁସାରେ ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ଇତିମଧ୍ୟରେ ସୁନା ଦରରେ ବୃଦ୍ଧି ଘଟିଛି। ଏପରିକି ରବିବାର ସୁଦ୍ଧା ସୁନା ୧୦ ଗ୍ରାମ ପିଛା ୪୫ ହଜାର ଟଙ୍କା ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୂଚନା ଅନୁସାରେ ଶୁକ୍ରବାର ସୁନାର ଦାମ ୪୪୮ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୩,୬୮୮ ରହିଥିଲା। ଅନ୍ୟପକ୍ଷେରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ସୁନାର ଦାମ ୪୪୮ ଟଙ୍କା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବୈଶ୍ୱିକ ସ୍ତରର ସୁନାର ଦାମ ଆଉନ୍ସ ପିଛା ୩.୫୦ ପ୍ରତିଶତ ହ୍ରାସ ପାଇ ୧,୬୩୪. ୨୦ ଡଲାରରେ ପହଞ୍ଚିଥିବା ଜଣାପଡ଼ିଛି। ଏଇ ମାତ୍ର ଦିନକ ପୂର୍ବରୁ ଆରମ୍ଭ ହୋଇଥିବା ନୂଆ ଆର୍ଥିକ ବର୍ଷ ବା ଏପ୍ରିଲ ପହିଲାରେ ସୁନାର ଦାମ ୩୦୧ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୩୪୭୪ ଟଙ୍କା ରହିଥିଲା। ଅନୁରୂପ ଭାବେ ରୁପା ଦାମ ମଧ୍ୟ କେଜି ପିଛା ୫୦ ଟଙ୍କା ବୃଦ୍ଧି ଘଟିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *