ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁଁ ରାଜ୍ୟବାସୀ ହତାଶ : ଗଡ଼କରୀ

ଆଜି ବାରିପଦା ଛଉ ପଡିଆରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରଚାର କରିଛନ୍ତି । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ କେନ୍ଦ୍ରକୁ ସହଯୋଗ କରୁନାହିଁ। ଓଲଟା କେବଳ ଚିରାଚରିତ ଭାବେ କେନ୍ଦ୍ର ଉପରେ ଅବହେଳା ଆରୋପ ଲଗାଇ ଚାଲିଛି। ୧୯ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟ ସରକାରଙ୍କ ଗୋଟିଏ କଥା କେନ୍ଦ୍ର ଅବହେଳା ଆଳାପ କରି ଚାଲିଛନ୍ତି।

ନୀତିନ ଗଡକରୀ ରାଜ୍ୟ ସରକାରକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ପାରାଦୀପ ପାଇଁ କେନ୍ଦ୍ର ସରକାରଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଇଥିଲା। କିନ୍ତୁ ରାଜ୍ୟ ସରକାର ଉନ୍ନୟନ କାମରେ ସହଯୋଗ କଲେ ନାହିଁ। ଏମିତି ହୋଇଥିଲେ ଅନେକ ସ୍ଥାନୀୟ ଯୁବକ କାମ ପାଇଥାନ୍ତେ ମାତ୍ର ରାଜ୍ୟ ସରକାର କାମ ହିଁ କଲେନି। ରେଳପଥର ଉନ୍ନତୀକରଣ ପାଇଁ ୬ ହଜାର କୋଟି ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ଜମି ଅଧିଗ୍ରହଣ ସମସ୍ୟାର ବାହାନା ଦେଖାଇ କାମ ବି ତ୍ଵରାନ୍ଵିତ କଲେନି।

ଗଡକରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତାର ବିନିଯୋଗ ହୋଇ ପାରୁନି। ଫଳରେ ବାହାରୁ ପୁଞ୍ଜି ନିବେଶକାରୀ ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଓଡ଼ିଶାରେ ବିକାଶ କେମିତି ହେବ। ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ମଧ୍ୟରେ ସହଯୋଗ ଆବଶ୍ୟକ ରହିଛି।

ନୀତିନ ଗଡକରୀ କେନ୍ଦ୍ରୀୟ ଯୋଜନା ବିଷୟରେ ଉଲ୍ଲେଖ କରି ନବୀନ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଗ୍ରହଣ କଲେନି। ଫଳରେ ରାଜ୍ୟବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ହେବାକୁ ପଡ଼ିଛି। ଏପରିକି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ତାଲିକା ମଧ୍ୟ ଦେଲେନି। ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀତା ଯୋଗୁଁ ରାଜ୍ୟବାସୀ ହତାଶ ହୋଇ ଗଲେଣି। ତେଣୁ ରାଜ୍ୟରେ ପରିବର୍ତ୍ତନ ସମୟ ଆସି ଯାଇଛି ବୋଲି ଗଡ଼କରୀ କହିଛନ୍ତି।

Leave a Reply

Your email address will not be published. Required fields are marked *