ଆସାମରେ ବିଗୁଡୁଛି ବନ୍ୟା ସ୍ଥିତି; ସହାୟତାର ହାତ ବଢାଇଲେ ପ୍ରିୟଙ୍କା
ଗୌହାଟୀ, (ଓଡିଶା ଟାଇମ୍): ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ଯାହାଫଳରେ ଆସାମରେ ବନ୍ୟା ଯୋଗୁଁ ୨୩ ଜିଲ୍ଲାର ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବା ସହ ଅନେକଙ୍କ ମୃତ୍ୟୁ ଘଟିଛି ।
କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଦୈନିକ ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା ଏବଂ ବନ୍ୟା କାରଣରୁ ଆସାମରେ ଏଯାବତ୍ ୧୦୨ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ତେବେ ଏଭଳି ସମୟରେ ଆସାମ ବନ୍ୟାର ମୁକାବିଲା କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଓ ତାଙ୍କ ସ୍ୱାମୀ ନିକ୍ ଜୋନ୍ସ । ଏହାପୂର୍ବରୁ ଆସାମକୁ ସାହାଯ୍ୟ କରିବା ପାଇଁ ବହୁ କଳାକାର ମଧ୍ୟ ଲୋକଙ୍କୁ ନିବେଦନ କରିଥିଲେ ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ ଧେମାଜୀ, ଲକ୍ଷ୍ମୀପୁର, ଜୋରହାଟ, ମଜୁଲି, ଡିବ୍ରୁଗଡ, ଶିବସାଗର, ବଙ୍ଗାଇଗାଁଓ, କୋକ୍ରାଝର, ଢୁବରୀ, ଗୋଲାଘାଟ, ନାଗାଓଁ, ବିଶ୍ୱନାଥ, ଉଦଲଗୁରି, ଡରାଙ୍ଗ, ନଲବାରି, ପଶ୍ଚିମ କାର୍ବି, ଗୋଲପାରା, ବାରପେଟା, ଦକ୍ଷିଣ ସାଲମରା, କାମରୁପ, ମରିଗାଁଓ , ହୋଜାଇ ଜିଲ୍ଲା ମଧ୍ୟ ବନ୍ୟା କାରଣରୁ ପ୍ରଭାବିତ ହୋଇଛି ।
ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ୍, ଜିଲ୍ଲା ପ୍ରଶାସନ ନିୟୋଜିତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରାୟ ୪୫୭ଟି ରିଲିଫ୍ କ୍ୟାମ୍ପ ଗଠନ କରଯାଇଛି । ଆହୁରି ମଧ୍ୟ ବନ୍ୟାର କରାଳ ରୂପରୁ ବାଦ୍ ପଡିନି କାଜିରଙ୍ଗ ଜାତୀୟ ଉଦ୍ୟାନ ।
ବନ୍ୟା କାରଣରୁ କାଜିରଙ୍ଗ ଜାତୀୟ ଉଦ୍ୟାନ ଓ ବୋକାହାଟ ଟାଇଗର ରିଜର୍ଭରୁ ୧୩୨ ଜୀବଜନ୍ତୁଙ୍କ ପ୍ରାଣହାନୀ ଘଟିଛି । ସେଥିମଧ୍ୟରେ ୧୪ ଗଣ୍ଡା, ୫ ଜଙ୍ଗଲୀ ମଇଁଷି, ୮ ଜଙ୍ଗଲୀ ବାରହା, ୨ ସ୍ୱାମ୍ପ୍ ଡିଅର୍, ୯୮ ହଗ୍ ଡିଅର. ୧ ଶମ୍ବର ଓ ଗୋଟିଏ ପାଇଥନ୍ ସହ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି ବୋଲି ଆସାମ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।