ସଂସଦରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ

ଓଡ଼ିଶା ଟାଇମ୍ ( ଭୁବନେଶ୍ୱର)  : ସଂସଦରେ ପାରିତ ହେଲା ୩ କୃଷି ଆଇନ ଉଚ୍ଛେଦ ବିଲ୍। କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୧୦ ଦିନ ପରେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହୋଇଛି। ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପରେ ବିରୋଧୀ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନଥିଲେ। ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ଏହା ଉଭୟ ଗୃହରେ ପାରିତ ହୋଇଛି। ତେବେ କୃଷି ଆଇନ ଉଚ୍ଛେଦ ହେବାକୁ କେବଳ ରାଷ୍ଟ୍ରପତିଙ୍କ ମୋହର ବାକି ଅଛି।

ଲୋକସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ଏହି ବିଲ୍ ଆଗତ ହେବାର ମାତ୍ର ୪ ମିନିଟ ମଧ୍ୟରେ ବିଲ୍ ପାରିତ ହୋଇଥିଲା। ଲୋକସଭାରେ ଦିନ ୧୨ଟା ୬ମିରେ ବିଲ୍ ଆଗତ ହୋଇଥିଲା ଏବଂ ବିରୋଧୀଙ୍କ ଆଲୋଚନା ଦାବି ସତ୍ତ୍ୱେ ୧୨ଟା ୧୦ମି ବେଳକୁ ବିଲ ପାରିତ ହୋଇଥିଲା। ସେପଟେ ରାଜ୍ୟସଭାରେ କିଛି ସମୟର ଆଲୋଚନା ପରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହୋଇଥିଲା। ଗୃହରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ବିଲ୍ ଉପରେ ସମସ୍ତ ଦଳ ସହମତି ପ୍ରକାଶ କରିଛନ୍ତି ଏବଂ ଏହାକୁ କେହି ବିରୋଧ କରୁନାହାନ୍ତି।

୨୦୨୦ ସେପ୍ବେମ୍ବର ୨୭ରେ ୩ କୃଷି ବିଲ୍ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଆଇନରେ ପରିଣତ ହୋଇଥିଲା। ଏହାପରେ ଏହି ଆଇନକୁ ନେଇ ପ୍ରତିବାଦ ଆରମ୍ଭ ହୋଇଥିଲା। ୨୦୨୦ ନଭେମ୍ୱର ମାସରେ ପ୍ରତିବାଦ ଚରମ ଆନ୍ଦୋଳନର ରୂପ ନେଇଥିଲା। ପ୍ରାୟ ଗୋଟିଏ ବର୍ଷର ଆନ୍ଦୋଳନ ପରେ ଚଳିତ ମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ଏବଂ ଆନ୍ଦୋଳନରତ କୃଷକଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରିଥିଲା।

Leave a Reply

Your email address will not be published. Required fields are marked *