ଗୋଷ୍ଟୀ କନ୍ଦଳରେ ଜର୍ଜରିତ କେନ୍ଦ୍ରାପଡ଼ା ବିଜେଡି

ଗୋଟିଏ ଗୁଳିରେ କିଶୋର-ଧ୍ରୁବ-ପ୍ରତାପଙ୍କୁ ଶିକାର ପାଇଁ ଗୋଟି ଚାଳନା

କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଏବେ ରାଜନଗର ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ବିରୁଦ୍ଧରେ କିଛି ଲୋକ ଆସି ରାଜଧାନୀରେ ହୋ ହଲ୍ଲା କଲେଣି। ଅନ୍ୟ ପକ୍ଷରେ ପ୍ରାର୍ଥୀ ଘୋଷଣା ହୋଇନଥିବା କେନ୍ଦ୍ରାପଡା ଆସନରେ ବର୍ତ୍ତମାନ ବିଧାୟକ ଥିବା କିଶୋର ତରାଇଙ୍କ ପ୍ରାର୍ଥୀତ୍ୱକୁ କାଟିବାପାଇଁ ଜୋରଦାର ଉଦ୍ୟମ ଚାଲିଛି।

ଜିଲ୍ଲା ରାଜନୀତିକୁ ନେଇ ହେଉଥିବା ଆଲୋଚନାରୁ ଜଣାଯାଇଛି ଯେ ବିଜେଡିର ମଙ୍ଗୁଆଳ ସାଜିଥିବା ନେତା ଜଣଙ୍କ ଏବେ କିଶୋରଙ୍କ ଟିକଟ କାଟିବା ପାଇଁ ଜୋରଦାର ଲାଗିଛନ୍ତି। ପ୍ରଥମରୁ ଏଭଳି ଉଦ୍ୟମ ଚଳାଇ କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ଦଳକୁ ଆଣି ଟିକଟ ଦେବାପାଇଁ ଲାଗିଥିଲେ। ହେଲେ ସେଥିରେ ବିଫଳ ହେବାପରେ ଏବେ ସିଧାସଳଖ ତରାଇଙ୍କ ବିରୁଦ୍ଧରେ ଲାଗିଛନ୍ତି। ସେହିଭଳି ଧ୍ରୁବଙ୍କ ବିରୁଦ୍ଧରେ ରାଜଧାନୀକୁ ଆସିଥିବା କର୍ମୀମାନେ ବି ଏହି ମଙ୍ଗୁଆଳଙ୍କ ଇସାରାରେ କାମ କରୁଛନ୍ତି। ଜିଲ୍ଲା ବିଜେଡିକୁ ଭାଗ ଭାଗ କରିସାରି ଥିବା ମଙ୍ଗୁଆଳ ଜଣଙ୍କ ଏବେ କିଶୋରଙ୍କ ଟିକଟ କାଟିବା ସହିତ ରାଜନଗରରୁ ଧ୍ରୁବ ଓ ଆଳିରୁ ପ୍ରତାପ ଦେବଙ୍କୁ ହରାଇବା ପାଇଁ ଗୋଟି ଚଳାଇବାରେ ଲାଗିଛନ୍ତି।

ମଙ୍ଗୁଆଳ ଭଲଭାବେ ଜାଣିଛନ୍ତି କିଶୋରଙ୍କ ଟିକଟ କଟିଲେ ତାହାର ପ୍ରଭାବ କେନ୍ଦ୍ରାପଡା ସମେତ ରାଜନଗର ଓ ଆଳି ନିର୍ବାଚନମଣ୍ଡଳୀରେ ପଡିବ। କାରଣ କିଶୋରଙ୍କର ଏହି ତିନି ବିଧାନସଭା କ୍ଷେତ୍ରରେ କିଛିଟା ଜାତିଆଣ ଭୋଟ ରହିଛି। କିଶୋର ହଟିଲେ ସେହିସବୁ ଭୋଟ ବିଜେପିକୁ ଯିବା ଏକ ପ୍ରକାର ନିଶ୍ଚିତ। ତେଣୁ କିଶୋରଙ୍କ ଟିକଟ କଟିଲେ ଧ୍ରୁବ ଓ ପ୍ରତାପ ହାରିବା ସହଜ ହେବ। ଗୋଟିଏ ଗୁଳିରେ ତିନି ତିନିଟି ଶିକାର। ଧ୍ରୁବ ପରାଜିତ ହେଲେ ଜିଲ୍ଲା ବିଜେଡି ରାଜନୀତିରେ ମଙ୍ଗୁଆଳଙ୍କ ପତିଆରା ବଢିବ। ରାଜନଗରରୁ କଂଗ୍ରେସ ପ୍ରାର୍ଥୀ ଜିଣିଲେ ତାଙ୍କ ହାତରେ ଥିବା କିଛି ଭୋଟ ମଙ୍ଗୁଆଳଙ୍କ ପକେଟକୁ ଯିବ।

ଅନ୍ୟ ପକ୍ଷରେ ମଙ୍ଗୁଆଳ ଚାହୁଁ ନାହାନ୍ତି ଯେ ପ୍ରତାପ ଦେବ ଆଳିରୁ ଜିଣନ୍ତୁ। କାରଣ ପ୍ରତାପ ଜିଣିଲେ ପ୍ରଥମେ ସରକାରରେ ମନ୍ତ୍ରୀପଦ ତାଙ୍କୁ ମିଳିବ। ମଙ୍ଗୁଆଳ ଜିଣିଲେ ବି ଜିଲ୍ଲାର ନେତାଟିଏ ହୋଇ ରହିଯିବେ । ତେଣୁ ପ୍ରଥମରୁ ପ୍ରତାପ ବିଧାନସଭା ନଲଢିବା ସପକ୍ଷରେ ମଙ୍ଗୁଆଳ ଗୋଟି ଚଳାଇଥିବାବେଳେ ଏବେ ସେଥିରେ ପରିବର୍ତ୍ତନ କରିଛନ୍ତି। ପ୍ରତାପ କିଭଳି ହାରିବେ ସେଥିପାଇଁ ଦିନ ରାତି ଏକକରି ଦେଇଛନ୍ତି। ଆଳି ଓ ରାଜନଗରରେ ଥିବା ନିଜ ନିଜର ଅନୁଗତମାନଙ୍କ୍ୁ ଏହି କାମରେ ଲଗାଇ ଦେଇଥିବାବେଳେ କିଶୋରଙ୍କ ଟିକଟ କାଟିବା ପାଇଁ ରାଜଧାନୀରେ ଗୋଟି ଚଳାଉଛନ୍ତି। ବିଜେଡିର ଏଭଳି ଅର୍ନ୍ତଘାତୀ କାର୍ଯ୍ୟ ଏବେ ବିଜେପିକୁ ସୁହାଇବା ଆରମ୍ଭ କରିଛି । ବିଶେଷକରି ବିଜୟ ମହାପାତ୍ର ବିଜେପିକୁ ଫେରିବାପରେ ଜିଲ୍ଲା ରାଜନୀତି ବଦଳିବାରେ ଲାଗିଛି। ଶୀଘ୍ର ଯଦି ବିଜେଡି ମୁଖିଆ ଏହି ଅର୍ନ୍ତଘାତୀ କାର୍ଯ୍ୟକୁ ନ ରୋକନ୍ତି ତେବେ ଜିଲ୍ଲାରେ ବିଜେଡି ସଫାହୋଇଯିବ ବୋଲି କର୍ମୀମାନେ ଖୋଲାଖୋଲି କହୁଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ

ବିଜେପିରେ ମୋହନ-ଅର୍ଜୁନ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published. Required fields are marked *