ଝାରସୁଗୁଡ଼ା ସହରକୁ ଅଗଷ୍ଟ ୩୦ରୁ ୭ ଦିନ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା
ଝାରସୁଗୁଡ଼ା, (ଓଡିଶା ଟାଇମ୍) : ଝାରସୁଗୁଡ଼ା ଜିଲାରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଏ ହାକୁ ଦୃଷ୍ଟିରେ ରଖି ସାତ ଦିନ ଲାଗି ସମଗ୍ର ସହରାଞ୍ଚଳକୁ ସଟ୍ଡାଉନ୍ କରାଯିବାକୁ ଘୋଷଣା କରାଯାଇଛି। ଆଜି ଏଭଳି ଏକ ଆଦେଶନାମା ଜିଲ୍ଲାପାଳ ଜାରି କରିଛନ୍ତି। ଆସନ୍ତା ଶନିବାର ହେବାକୁ ଥିବା ସପ୍ତାହାନ୍ତ ସଟ୍ଡାଉନ୍ ପ୍ରତ୍ୟାହାର କରାଯାଇଛି। ୩୦ ତାରିଖ ସେପ୍ଟେମ୍ବର ୫ ତାରିଖ ଯାଏଁ ଅର୍ଥାତ ରବିବାର ଠାରୁ ସାତ ଦିନିଆ ସଟ୍ଡାଉନ୍ କର୍ଯ୍ୟକାରୀ ହେବ।
ଝାରସୁଗୁଡା ସହରାଞ୍ଚଳରେ ଗତ ସାତ ଦିନ ମଧ୍ୟରେ ୧୮୦ରୁ ଅଧିକ କୋଭିଡ୍ ପଜିଟିଭ କେଶ ସାମ୍ନାକୁ ଆସିଛି। ଯାହାକି ଉଦ୍ବେଗଜନକ। ସହରାଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ପଜିଟିଭ ରୋଗୀଙ୍କ ଆବିର୍ଭାବ ଘଟିବା ପରେ ଗୋଷ୍ଠୀ ସଂକ୍ରମଣର ସଙ୍କେତ ଦେଉଛି। ଏଥିସହ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇ ଚାଲିଛି। ଯାହାକୁ ନେଇ ସଟ୍ଡାଉନ୍ ହିଁ ଏବେ ସଂକ୍ରମଣରେ ଲଗାମ ଲଗାଇବ। ଏଭଳି ଚିନ୍ତା ରଖି ସାତ ଦିନିଆ ସଟ୍ଡାଉନ୍ ଲାଗୁ ହେବାକୁ ଯାଉଛି। ସଟ୍ଡାଉନ୍ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଯାଏ ରାସନ ସାମଗ୍ରୀ,ପନିପରିବା, କ୍ଷୀର,ଅଣ୍ଡା, ମାଛ ଏବଂ ଭେଜ୍ ସାମଗ୍ରୀ ଉପଲବ୍ଧ ହେବ।ଔଷଧ ଦୋକାନ ପୂର୍ବପରି ଖୋଲା ରହିବା ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ଯାତାୟାତକୁ ବାରଣ କରାଯାଇଛି।
କେବଳ ପାଦଚଳା ଯାତ୍ରୀଙ୍କୁ ଅନୁମୋଦିତ ସମୟ ମଧ୍ୟରେ ଯାତାୟାତ ଅନୁମତି ରହିବ। ବ୍ୟାଙ୍କରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ବ ଦେଇ କାର୍ଯ୍ୟ ପାଇଁ ଅନୁମତି ରହିଛି। ଶିଳ୍ପ ସଂସ୍ଥା ଗୁଡିକ ଶ୍ରମିକ କର୍ମଚାରୀଙ୍କ ଯାତାୟାତ ଲାଗି ସପ୍ତାହନ୍ତ ସଟ୍ଡାଉନ୍ ଭଳି ବସ ଚଳାଚଳ କରି ପାରିବେ। ରେଳ ଷ୍ଟେସନ ଏବଂ ବିମାନବନ୍ଦରକୁ ଯାତାୟାତ ଲାଗି ଯାତ୍ରୀଙ୍କୁ ଅନୁମତି ରହିବ। ଜରୁରି ସେବା ପ୍ରଦାନକାରଙ୍କ ଯାତାୟାତ ପାଇଁ ଅନୁମତି ରହିବ। କେବଳ ଅନୁମତିପ୍ରାପ୍ତ ଦୋକାନ ଗୁଡିକ ନର୍ଦ୍ଧାରିତ ସମୟରେ ଖୋଲା ରଖିବା ବ୍ୟତୀତ ସମସ୍ତ ଦୋକାନ ବନ୍ଦ ରହିବ।