ଆଜି ରାତିରୁ ତାଣ୍ଡବ ରଚିବ ‘ୟସ୍’, ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍): ଆସୁଛି ବାତ୍ୟା ୟସ୍ । ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ ହେବ ପବନ । ମଝିରେ ମଝିରେ ୧୮୫ କିମି ବେଗରେ ପବନ ମାଡ଼ କରି ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳକୁ ମୋଡ଼ି ମକଚି ଦେବ ୟସ୍ ।
ତା ପୂର୍ବରୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରଳୟ ରଚାଇବ । ଏ ତିନିଟି ଜିଲ୍ଳାକୁ ଘଷି ହୋଇଯିବ ବାତ୍ୟା ଯେତେବେଳେ ପବନର ବେଗ ସର୍ବୋଚ୍ଚ ଥିବ । କେନ୍ଦ୍ରାପଡ଼ା ଜିଲ୍ଲାଠୁ ମାତ୍ର ୨୦ରୁ ୨୫ କିଲୋମିଟର, ଭଦ୍ରକ ଉପକୂଳରୁ ୩୦ରୁ ୩୫ କିମି ଏବଂ ପାରାଦୀପଠୁ ୫୦ କିଲୋମିଟର ଦୂରରେ ଅତିକ୍ରମ କରିବ ୟସ୍ ।
ବାତ୍ୟାର କେନ୍ଦ୍ର ବଳୟ (ସର୍ବୋଚ୍ଚ ବେଗ ପବନ)ର ବ୍ୟାସାର୍ଦ୍ଧ ପ୍ରାୟ ୬୦ କିଲୋମିଟର ରହିବ । ଏହାର ଅର୍ଥ ହେଉଛି ସମୁଦ୍ରରେ ଥିଲେ ବି ସ୍ଥଳଭାଗରେ ପ୍ରଳୟଙ୍କରୀ ପବନ (୧୮୫ କିଲୋମିଟର ଯାଏ) ମାଡ଼ ହେବ ।ମଙ୍ଗଳବାର ବିଳମ୍ବିତ ରାତିରୁ ପ୍ରକୋପ ବଢ଼ାଇ ଚାଲିବ । ବୁଧବାର ସକାଳୁ ଚଳାଇବ ତାଣ୍ଡବ । ଭୟାନକ ପବନ ମାଡ଼ରେ କ୍ଷତାକ୍ତ କରିଦେବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ।
ୟସ୍ର ସମ୍ଭାବ୍ୟ ଗତିପଥ, ସ୍ଥିତି ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାରମ୍ବାର ବଦଳାଉଛି ଆକଳନ । ପ୍ରଥମେ ଅନୁମାନ କରାଯାଉଥିଲା, ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ମାତ୍ର ଆଇଏମଡିର ତାଜା (ରାତି ୧୦ଟା ୧୫ ଜରି ପୂର୍ବାନୁମାନ) ଆକଳନରୁ ଜଣାପଡ଼ୁଛି, ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ରାତି ପର୍ଯ୍ୟନ୍ତ ତାଣ୍ଡବ କରିବ ୟାସ୍ ।