ବାତ୍ୟାକୁ ନେଇ ଆଜି ସମୀକ୍ଷା କରିବେ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଅନ୍ୟ ବରିଷ୍ଠ ମନ୍ତ୍ରୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଟେଲିକମ୍, ଶକ୍ତି, ବେସାମରିକ ବିମାନ ମନ୍ତ୍ରାଳୟ, ଆର୍ଥ ସାଇନ୍ସ ବିଭାଗର ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ। ଦିନକ ପରେ ବାତ୍ୟା ଆହୁରି ଘନୀଭୂତ ହୋଇ ଆସନ୍ତକାଲି ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ୨୬ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି। କରୋନା ମହାମାରୀ ସମୟରେ ବାତ୍ୟାର ମୁକାବିଲା କେମିତି କରାଯିବ, ରାଜ୍ୟଗୁଡ଼ିକ କେମିତି ପ୍ରସ୍ତୁତି କରିଛନ୍ତି, ସେ ସଂପର୍କରେ ଆଜି ମୋଦି ସମୀକ୍ଷା କରିବେ।

ଏପଟେ, ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ଲାଗି କିଭଳି ପ୍ରସ୍ତୁତି ହୋଇଛି, ସେ ନେଇ ସମୀକ୍ଷା ହୋଇଛି। ବିଶେଷକରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଶୁଖିଲା ଖାଦ୍ୟ ମହଜୁଦ ରଖିବା ଏବଂ ଆବଶ୍ୟକ ପଡ଼ିଲେ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବାତ୍ୟାରେ ଯେପରି ସବୁଠୁ କମ୍ କ୍ଷୟକ୍ଷତି ହୁଏ, ତାହା ମଧ୍ୟ ନିଶ୍ଚିତ କରିବା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଛି।

ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ ଠିକ ଭାବେ ତୁଲାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆରସି ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଯୋଗ ଦେଇଥିଲେ। ସମ୍ଭାବ୍ୟ ବାତ୍ୟା ୟାସ ପାଇଁ ରାଜ୍ୟରେ ୬୬ଟି ଓଡ୍ରାଫ୍, ୨୨ଟି ଏନଡିଆରଏଫ, ୧୭୭ଟି ଫାୟାର ସର୍ଭିସ ଟିମ୍ ମୁତୟନ କରାଯିବ। ସେପଟେ ରାଜ୍ୟ ବାହାରକୁ ହେଉଥିବା ଅକ୍ସିଜେନ୍ ଯୋଗାଣ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ତା ଉପରେ ମଧ୍ୟ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଜି ଅବପାତର ରୂପ ନେବ ବାତ୍ୟା।

Leave a Reply

Your email address will not be published. Required fields are marked *