ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଗୁରୁବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍ ଶୁକ୍ରବାର ଶେଷ ହେଉଛି । ତେଣୁ ଆଗକୁ ଲକ୍ଡାଉନ୍ ରହିବ କି ଅନ୍ଲକ୍ ହେବ ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଖବର ଅନୁଯାୟୀ, ଓଡ଼ିଶାରେ ଜୁନ୍ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । ୨୦ ଜିଲ୍ଲାରୁ ଅନେକ କଟକଣା ହଟିଛି । ୧୦ ଜିଲ୍ଲାରେ ଏବେ ବି କଟକଣା ବଳବତ୍ତର ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଏବେ ‘ଏ’ ଶ୍ରେଣୀରେ ୨୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ‘ବି’ ଶ୍ରେଣୀରେ ଥିବା ୧୦ ଜିଲ୍ଲାରେ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ରାତି କର୍ଫ୍ୟୁ ସହ ସପ୍ତାହନ୍ତ ସଟ୍ଡାଉନ୍ ମଧ୍ୟ ଲାଗୁ ରହିଛି। ଏଥିରେ ପରିବର୍ତ୍ତନ ହେବ। ‘ବି’ ଶ୍ରେଣୀରେ ଜିଲ୍ଲା ସଂଖ୍ୟା ୧୦ରୁ କମି ୫ ମଧ୍ୟରେ ରଖାଯାଇପାରେ। ଦୋକାନ ଖୋଲିବା କଟକଣା ସନ୍ଧ୍ୟା ୬ ଯାଏ ବଢାଯାଇପାରେ। ଆଗକୁ ପାର୍ବଣ ଋତୁ ଆସୁଛି। ସମସ୍ତେ କଟକଣା କୋହଳକୁ ଅନାଇ ବସିଛନ୍ତି। ଏଥିପାଇଁ ଅନେକ ବ୍ୟବସାୟୀ ନିଜର ପୁରୁଣା ସାମଗ୍ରୀ ସାରିବାକୁ ଡିସ୍କାଉଣ୍ଟ ଦେବାକୁ ଯୋଜନା କରି ସାରିଲେଣି।