କିଏ ଏକ ନମ୍ବରୀ ତ କିଏ ୧୦: ସବୁଦଳରେ କୋଟିପତି ଆଉ ଅଭିଯୁକ୍ତ ପ୍ରାର୍ଥୀ

ଓଡ଼ିଶା ନିର୍ବାଚନ ମଇଦାନରେ ପ୍ରାର୍ଥୀଭାବେ ଓହ୍ଲାଇଥିବା ରାଜନେତାମାନେ କିଏ ୧ ନମ୍ବରୀ ତ କିଏ ୧୦ ନମ୍ବରୀ। ଅର୍ଥାତ୍‌ କେହି କାହାକୁ କମ୍‌ ନୁହନ୍ତି। ଆଉ ଯେଉଁମାନେ ଏହି ସଂଖ୍ୟାରେ କମ୍‌ ସେମାନଙ୍କ ନାଁ ନା ଶୁଣାଯାଉଛି ନା ଲୋକେ ଚର୍ଚା କରୁଛନ୍ତି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ କିଛି ଦିନ ବାକି ଥିବାବେଳେ ଓଡ଼ିଶା ଇଲେକ୍ସନ୍‌ ୱାଚ୍‌ ଏବଂ ଏଡିଆର୍‌ ଦ୍ଵାରା ପ୍ରକାଶିତ ବିଶ୍ଳେଷଣ ରିପୋର୍ଟ ଏହା କହୁଛି ଯେ, ପ୍ରମୁଖ ରାଜନୀତିକ ଦଳମାନେ ପ୍ରାର୍ଥୀ ଦେବାବେଳେ ସେମାନଙ୍କ ଧନ ଓ ଅପରାଧ ଅଭିଯୋଗକୁ ବି ଯୋଗ୍ୟତା ମାପକାଠି ଭାବେ ଗ୍ରହଣ କରିଛନ୍ତି। ସେଥିଲାଗି ୩ ପ୍ରମୁଖ ରାଜନୀତିକ ଦଳର ୧୧୮ ପ୍ରାର୍ଥୀଙ୍କ ଭିତରୁ ୫୧ଜଣ ହେଉଛନ୍ତି ବିଭିନ୍ନ ଅପରାଧରେ ଅଭିଯୁକ୍ତ। ପୁଣି ଏମାନଙ୍କ ଭିତରୁ ୩୬ ଜଣଙ୍କ ବିରୋଧରେ ସଙ୍ଗୀନ ଅପରାଧ ମାମଲା ରହିଛି ଯେମିତିକି କାହାକୁ ହତ୍ୟା କରିବା, ଦୁଷ୍କର୍ମ ଅଭିଯୋଗ। ଏମିତି ଅଭିଯୋଗ ଯାହା ଲାଗି ୫ ବର୍ଷରୁ ଅଧିକ କରାଦଣ୍ଡ ଆଦେଶ ବି ହୋଇପାରେ, ଯେଉଁଥିପାଇଁ ଜାମିନ ମିଳେ ନାହିଁ ବା କୌଣସି ଦୁର୍ନୀତି ଅଭିଯୋଗରେ ସେ ଅଭିଯୁକ୍ତ।

ପାର୍ଟି ଦେଉଛି ପ୍ରାଧାନ୍ୟ

ଯଦି ଦଳ ହିସାବରେ ପ୍ରାର୍ଥୀଙ୍କ କଥା ବିଚାର କରାଯାଏ ତେବେ ଦଳ ଏହି ଅପରାଧ ଅଭିଯୁକ୍ତ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଉଛି। ବିଜେପିର ସମୁଦାୟ ପ୍ରାର୍ଥୀଙ୍କ ଭିତରୁ ୬୦ ପ୍ରତିଶତ ଅପରାଧ ମାମଲାରେ ଥିବାବେଳେ ୪୦ ପ୍ରତିଶତଙ୍କ ବିରୋଧରେ ରହିଛି ସଙ୍ଗୀନ ଅଭିଯୋଗ।

ବିଜେଡି ପ୍ରାର୍ଥୀଙ୍କ ଭିତରୁ ୩୯ ପ୍ରତିଶତଙ୍କ ନାଁରେ ଅପରାଧ ଅଭିଯୋଗ ରହିଛି। ୨୬ ପ୍ରତିଶତଙ୍କ ନାଁରେ ସଙ୍ଗୀନ ମାମଲା ରହିଛି।

ସେହିପରି କଂଗ୍ରେସର ୩୧ ପ୍ରତିଶତ ଅପରାଧ ଅଭିଯୋଗରେ ଅଭିଯୁକ୍ତ। ୨୬ ପ୍ରତିଷତ ପ୍ରାର୍ଥୀଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ।

ସବୁଠାରୁ ବଡ଼ କଥା ହେଲା ୯ଟି ନିର୍ବାଚନ ମଣ୍ଡଳୀରେ ୩ରୁ ଅଧିକ ପ୍ରାର୍ଥୀ ଅପରାଧିକ ମାମଲାରେ ଅଭିଯୁକ୍ତ। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରୁ ‘ରେଡ୍‌ ଆଲର୍ଟ’ ଜାରି କରାଯାଇଛି ।

କୋଟିପତି ପ୍ରାର୍ଥୀ:

ଅର୍ଥ ନଥିଲେ ନିର୍ବାଚନ ଲଢ଼ିବା ସମ୍ଭବପର ନୁହେଁ ବୋଲି ଅନେକ କହନ୍ତି। ତାହା ବାସ୍ତବରେ ସତ ଯଦି ଆମେ ଏ ନିର୍ବାଚନକୁ ବିଶ୍ଳେଷଣ କରିବା। ଏହାର ଅର୍ଥ ନୁହେଁ ଯେ, ଅର୍ଥ ନଥିବା ବ୍ୟକ୍ତି ଟିଏ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବ ନାହିଁ, କିନ୍ତୁ ଟଙ୍କା ନଥିଲେ ସେ ଲଢ଼ିବା ବୋଧ ହୁଏ ଅସମ୍ଭବ। ଏହିକ୍ରମରେ ପ୍ରତିଟି ଦଳ ପ୍ରାର୍ଥୀ ବାଛିବାବେଳେ ଏହାକୁ ପ୍ରାଥମିକ ବଳ ଭାବେ ଗ୍ରହଣ କରନ୍ତି। ଏପରିକି କୋଟିପତିଙ୍କୁ ଗୁରୁତ୍ଵ ଦିଅନ୍ତି। ସେଥିଲାଗି ସମୁଦାୟ ପ୍ରାର୍ଥୀ ଙ୍କ ଭିତରେ ୮୧ଜଣ ହେଉଛନ୍ତି କୋଟିପତି। ବିଜେଡିର ୬୯ ପ୍ରତିଶତ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ କଂଗ୍ରେସର ୫୯ ପ୍ରତିଶତ ଏବଂ ବିଜେପିର ୫୦ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି। ଖାଲି ସେତିକି ନୁହେଁ ଧନୀ ଦରିଦ୍ର୍ୟ ପ୍ରାର୍ଥୀଙ୍କ ହାରାହାରି ଧନ ପରିମାଣ କଥା ଦେଖିଲେ ଏଠାରେ ପ୍ରତି ବିଧାୟକ ପ୍ରାର୍ଥୀଙ୍କ ମୁଣ୍ଡପିଛା ସମ୍ପତ୍ତି ପରିମାଣ ହେଉଛଇ ୧କୋଟି ୨୧ ଲକ୍ଷ ଟଙ୍କା। ଏ ଭିତରେ କଂଗ୍ରେସ ପ୍ରାର୍ଥୀଙ୍କ ପାଖରେ ହାରାହାରି ସମ୍ପତ୍ତି ପରିମାଣ ସର୍ବାଧିକ, ମୁଣ୍ଡପିଛା ପାଖାପାଖି ୪ କୋଟି ୪ ଲକ୍ଷ ଟଙ୍କା ହୋଇଥିବାବେଳେ ବିଜେଡି ପ୍ରାର୍ଥୀଙ୍କ ମୁଣ୍ଡପିଛା ସମ୍ପତ୍ତି ପରିମାଣ ୨କୋଟି ୯୮ ଲକ୍ଷ ଏବଂ ବିଜେପି ପ୍ରାର୍ଥୀଙ୍କ ୨ କୋଟି ୧୫ ଲକ୍ଷ ଟଙ୍କା।

ସବୁଠୁ ଧନୀ ନିରଞ୍ଜନ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ୩୪୬ ପ୍ରାର୍ଥୀଙ୍କ ଭିତରେ ସବୁଠାରୁ ଧନୀ। ସେ ଭଣ୍ଡାରୀପୋଖରୀରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୬୦ କୋଟି ୩୪ ଲକ୍ଷ ୭୭ ହଜାର ଟଙ୍କା। ତାଙ୍କ ତଳକୁ ରହିଛନ୍ତି ଜଗତସିଂହପୁର ବିଧାୟକ ପ୍ରାର୍ଥୀ ଚିରଞ୍ଜିବୀ ବିଶ୍ଵାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ଵାଳଙ୍କ ପୁଅ ଚିରଞ୍ଜିବୀ ଦର୍ଶାଇଛନ୍ତି ଯେ, ସମୟର ପ୍ରକାଶଳୀ ସଂସ୍ଥା ଅର୍ଥାତ୍‌ ଆଶୀର୍ବାଦ ପ୍ରକାଶନୀ ଓ କରୁଣାଏଜ୍‌ ପ୍ରକାଶନୀ ସହ କୃଷି ଓ ବୃାଙ୍କ ଡିପୋଜିଟ୍‌ଠୁ ସେ ଆୟ କରନ୍ତି। ଏବେ ତାଙ୍କ ପାଖଷର ସମ୍ପତ୍ତି ଭୂଲ୍ୟ ହେଉଛି ୩୩ କୋଟି ୩୯ ଲକ୍ଷ ୫୯ ହଜାର ୪୬୫ଟଙ୍କା। ହଁ ସେ ପୁଣି ସବୁଠାରୁ ଅଧିକ ଆୟକାରୀ ବିଧାୟକ ପ୍ରାର୍ଥୀ। ତାଙ୍କର ଗତବର୍ଷ ଆୟ ପରିମାଣ ହେଉଛି ପାଖାପାଖି ସାଢ଼େ ଚାରିକୋଟି ଟଙ୍କା।

ବିଜେଡିର ପ୍ରଣବ ବଳବନ୍ତରାୟ ହେଉଛନ୍ତି ତୃତୀୟ ଧନୀ ପ୍ରାର୍ଥୀ। ତାଙ୍କ ସମ୍ପତ୍ତି ପରିମାଣ ହେଉଛଇ ୧୭ କୋଟି ୨୪ ଲକ୍ଷ ୧୪ ହଜାର ୭୭୪ ଟଙ୍କା। ସେ ହେଉଛନ୍ତି ପ୍ରତିଦ୍ଵନ୍ଦ୍ଵିତା କରୁଥିବା ପ୍ରାର୍ଥୀଙ୍କ ଭିତରେ ଅଷ୍ଟମ ଋଣୀ ପ୍ରାର୍ଥୀ। ଧର୍ମଶାଳାର ଏହି ବିଧାୟକ ପ୍ରାର୍ଥୀଙ୍କ ନାଁରେ ୧ କୋଟି ୬୭ ଲକ୍ଷ ଟଙ୍କାର ଋଣ ରହିଛି।

Leave a Reply

Your email address will not be published. Required fields are marked *