ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ, (ଓଡିଶା ଟାଇମ୍):ବହୁ ଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ୍‌ । ବହୁ ଛକା ପଞ୍ଛା ପରେ କୋର୍ଟ ତାଙ୍କ ବେଲ୍‌ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି । ଏଥି ସହିତ କୋର୍ଟ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ୍‌ ମର୍ଚ୍ଚଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କୁ ମଧ୍ୟ କୋର୍ଟ ଜାମିିନ୍‌ ପ୍ରଦାନ କରିଛନ୍ତି ।

୩ ଦିନର ଶୁଣାଣି ପରେ ବମ୍ୱେ ହାଇକୋର୍ଟର ଜଷ୍ଟିସ୍‌ ନୀତିନ ସାମ୍ୱ୍ରୋ ତିନି ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । କୋର୍ଟ ସମ୍ପୂର୍ଣ୍ଣ ଅର୍ଡର ଆସନ୍ତାକାଲି ପ୍ରଦାନ କରିବେ । ସେ ପର୍ଯ୍ୟନ୍ତ ଏହି ତିନିଜଣ ଆର୍ଥର ରୋଡ୍‌ର ଜେଲ୍‌ରେ ରହିବେ । କିନ୍ତୁ ସେମାନେ ଆସନ୍ତାକାଲି କିମ୍ୱା ଶନିବାର ଜେଲ୍‌ରୁ ମୁକୁଳିବେ ସେନେଇ ଜଣାପଡ଼ିନାହିଁ । ଏଏସ୍‌ଜି ଅନିଲ୍‌ ସିଂହ ଆଜି କୋର୍ଟରେ କହିଥିଲେ ଯେ, ଆର୍ଯ୍ୟନ ଖାନ୍‌ ଏବଂ ଅର୍‌ବାଜ ନିୟମିତ ଭାବେ ଡ୍ରଗ୍ସ ସେବନ କରୁଥିଲେ । ଅଧିକ ମାତ୍ରାରେ ସେମାନେ ଡ୍ରଗ୍ସ କିଣିଥିବା ଜଣାପଡ଼ିଛି । ସେମାନେ ଡ୍ରଗ୍ସ ପେଡ୍‌ଲର୍‌ଙ୍କ ସଂପର୍କରେ ମଧ୍ୟ ରହିଛନ୍ତି । ଅଚିତ୍‌ ହେଉଛନ୍ତି ସେହି ଡ୍ରଗ୍ସ ପେଡ୍‌ଲର୍‌ । ହେଲେ ତାଙ୍କୁ କ୍ରୁଜ୍‌ରୁ ଗିରଫ କରାଯାଇ ନାହିଁ ।କୋର୍ଟରେ ଅନିଲ୍‌ କହିଥିଲେ ଯେ, ଆର୍ଯ୍ୟନ ଓ ଅର୍‌ବାଜ ପିଲାଦିନର ସାଙ୍ଗ । ଦୁଇଜଣ ଏକାଠି କ୍ରୁଜ୍‌କୁ ଯାଇଥିଲେ ଏବଂ ଗୋଟିଏ ରୁମ୍‌ ସେୟାର କରିବେ ବୋଲି ସ୍ଥିର କରିଥିଲେ । ଯେତେବେଳେ ଦୁଇଜଣ ଏକାଠି ରହୁଛନ୍ତି ସେତେବେଳେ କିପରି ଜଣଙ୍କୁ ଆରଜଣେ ଡ୍ରଗ୍ସ ରଖିଥିବା ଜଣାନଥିବ । ଅନିଲ୍‌ କୋର୍ଟ ସାମ୍ନାରେ ଆର୍ଯ୍ୟନ ଖାନ୍‌ଙ୍କ ହ୍ୱାଟ୍‌ସ୍‌ ଆପ୍‌ ଚାର୍ଟ ମଧ୍ୟ ରଖିଥିଲେ ।

ପୂର୍ବରୁ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଅକ୍ଟୋବର ୨୦ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬କୁ ଶୁଣାଣି ତାରିଖ ଦେଇଥିଲେ। ହେଲେ ତାହାକୁ ସ୍ଥଗିତ ରଖା ଯାଇଥିଲା । ଗତକାଲି ଶୁଣାଣି ପୁଣି ଥରେ ସ୍ଥଗିତ ରହିଥିଲା । ଆର୍ଯ୍ୟନ ଖାନଙ୍କୁ ଗତ ୨ ତାରିଖରୁ ଗିରଫ କରିଛି ଏନସିବି। କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି। ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି। ଆର୍ଯ୍ୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଆର୍ଯ୍ୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି। ଏବଂ ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।

Leave a Reply

Your email address will not be published. Required fields are marked *