ମାଓବାଦୀଙ୍କ ଉପରେ କରୋନା ପ୍ରକୋପ

ଭୁବନେଶ୍ୱର, (ଓଡ଼ିଶା ଟାଇମ): କରୋନା ଯୋଗୁଁ କେବଳ ସାଧାରଣ ଜନତା ନୁହଁନ୍ତି, ଦେଶର ନକ୍ସଲ ତଥା ମାଓବାଦୀମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । କରୋନା କାରଣରୁ ଅନେକ ମାଓବାଦୀ ଜୀବନ ହରାଉଥିବାବେଳେ ଅନେକ ନକ୍ସଲମାନେ କରୋନା କାରଣରୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ସେମାନେ ସୁରକ୍ଷା ବାହିନୀର ବନ୍ଧୁକ ଅପେକ୍ଷା ଚୀନ୍‌ର ଜୀବାଣୁକୁ ଅଧିକ ବିପଦ ବୋଲି ଅନୁଭବ କରୁଛନ୍ତି ।

ତେଲେଙ୍ଗାନା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶା ଭଳି ରାଜ୍ୟରେ କରୋନା କାରଣରୁ ମାଓବାଦୀମାନେ ଅସହାୟ ହୋଇପଡ଼ିଛନ୍ତି । ପୋଲିସ କହିଛି ଯେ ନିକଟରେ ଦୁଇ ବଡ଼ ନକ୍ସଲ ନେତାଙ୍କ କରୋନା ଜନିତ ମୃତ୍ୟୁ ମାଓବାଦୀଙ୍କଦ୍ୱାରା ନିଶ୍ଚିତ ହୋଇଛି । ତେଲେଙ୍ଗାନା ରାଜ୍ୟ କମିଟିର ସଚିବ ୟାପା ନାରାୟଣ ଓରଫ ହରିଭୂଷଣ ଏବଂ ଦଳର ନେତା ସିଦ୍ଧବୋଇନା ସାର୍କକା ଓରଫ ଭାରତକ୍କାଙ୍କର କୋଭିଡରେ  ଦେହାନ୍ତ ହୋଇଛି । ମୋଟାମୋଟିଭାବେ ଏପର୍ଯ୍ୟନ୍ତ ୮ ଜଣ ମାଓବାଦୀ ନେତା ଏବଂ ସେମାନଙ୍କ କ୍ୟାଡ଼ରଙ୍କ ମୃତ୍ୟୁ ଘଟିଛି ।

ପୋଲିସ ଏହା ମଧ୍ୟ କହିଛି ଯେ ୧୫ରୁ ୨୦ ମାଓବାଦୀ ବର୍ତ୍ତମାନ କରୋନା ସହ ଲଢ଼ୁଛନ୍ତି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଆଣ୍ଟି-ନକ୍ସଲାଇଟ୍ ଇଣ୍ଟେଲିଜେନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବନ୍ଧୁକଧାରୀ ନକ୍ସଲମାନେ କରୋନା ଔଷଧ ପାଇଁ ପ୍ରାୟତଃ ସେମାନଙ୍କ ଦୂତ ଏବଂ ସମ୍ବାଦଦାତାଙ୍କୁ ଭେଟୁଛନ୍ତି ।

କରୋନା କାରଣରୁ ବିହାରରେ ନକ୍ସଲମାନେ ଭୟଭୀତ ହେଉଛନ୍ତି । ପୋଲିସର ସୂଚନାନୁସାରେ, ପ୍ରଥମ ଲହର ଏହି ନକ୍ସଲମାନଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇ ନ ଥିଲା, କିନ୍ତୁ ଦ୍ୱିତୀୟ ଲହର ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି । କରୋନା କାରଣରୁ, ସେମାନେ ବର୍ତ୍ତମାନ ନିଜ ସ୍ଥାନରୁ ବାହାରିବାରେ ମଧ୍ୟ ଅସମର୍ଥ ହୋଇ ପଡ଼ିଛନ୍ତି ।

ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ କହିବାନୁସାରେ, “ମାଓବାଦୀଙ୍କ ମଧ୍ୟରେ କରୋନା ମହାମାରୀ ଯୋଗୁଁ ସେମାନେ ସେମାନଙ୍କ ସହଯୋଗୀ ବ୍ୟକ୍ତି, ଲଜିଷ୍ଟିକ୍ ଯୋଗାଣକାରୀ ଏବଂ ଗ୍ରାମବାସୀଙ୍କୁ ଜଙ୍ଗଲରେ ଲୁଚି ରହିଥିବା ସ୍ଥାନକୁ ଆସିବା ବନ୍ଦ କରି ଦେଇଛନ୍ତି । ମହାମାରୀ ସେମାନଙ୍କ କାର୍ଯ୍ୟକଳାପକୁ ବହୁ ପରିମାଣରେ ବନ୍ଦ କରିଦେଇଛି।

ବର୍ତ୍ତମାନ ତେଲେଙ୍ଗାନାରେ ମାଓବାଦୀମାନେ ମଧ୍ୟ କରୋନା ଭୟ ଯୋଗୁଁ ଆତ୍ମସମର୍ପଣ ଆରମ୍ଭ କରିଛନ୍ତି । ନିକଟରେ ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ ଜିଲ୍ଲାରେ ଜଣେ ମାଓବାଦୀ ଦମ୍ପତି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ପୋଲିସ ବର୍ତ୍ତମାନ କରୋନାର ସୁଯୋଗ ନେଇ ଅଧିକରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିବାକୁ ଅନୁରୋଧ କରୁଛି । ସରକାରଙ୍କ ନୀତି ଅନୁଯାୟୀ ମାଓବାଦୀଙ୍କ ଉପଯୁକ୍ତ ଚିକିତ୍ସା ତଥା ପୁନଃ ଥଇଥାନ ନିଶ୍ଚିତ କରିବାକୁ ପୋଲିସ ଘୋଷଣା କରିଛି ।

ସ୍ୱାସ୍ଥ୍ୟସେବା ଅଭାବ, ବଣୁଆ ଜନ୍ତୁଙ୍କ ଆକ୍ରମଣ, ସାପ କାମୁଡ଼ିବା ଏବଂ ଖରାପ ଖାଦ୍ୟ ଖାଇବା ହେତୁ ଏହି ନକ୍ସଲମାନଙ୍କ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଦୁର୍ବଳ ଅଟେ । ଏହି କାରଣରୁ ବର୍ତ୍ତମାନ ନକ୍ସଲମାନେ କରୋନାକୁ ଏତେ ଭୟ କରୁଛନ୍ତି ।

 

Leave a Reply

Your email address will not be published. Required fields are marked *