ପୁରୀରେ ଧ୍ବଂସ ଲୀଳା ଜାରି: ଇନ୍‌ଟାକ୍‌ର ଉଦ୍‌ବେଗ, କହିଲା ସଂରକ୍ଷଣ ସମ୍ଭବ

 ପକ୍ବନେଶ୍ଵର, (ଓଟି): କଳା ପାହାଡ଼ ପରି ପୁରୀର ମଠ ଓ ମନ୍ଦିରଗୁଡ଼ିକୁ ଧରାଶାୟୀ କରୁଥିବା ରାଜ୍ୟ ପ୍ରଶାସନର କାର୍ଯ୍ୟ ପୁରୀରେ ଜାରି ରହିଛି। ଏ ଭିତରେ ୧୨ଦିନ ସମୟ ବିତିଗଲାଣି। ଅଗଷ୍ଟ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ଲଙ୍ଗୁଳିମଠ ସମ୍ପୂଣ୍ଣ ଧ୍ବଂସ ହୋଇସାରିଛି। ଆଉ ଏମାର ମଠର ଅନେକାଂଶ ଧରାଶାୟୀ। ସେଥିରେ ଐତିହ୍ୟ ସମ୍ପନ୍ନ ରଘୁନନ୍ଦନ ଲାଇବ୍ରେରୀ ବି ମାଟିରେ ମିଶି ଯାଇଛି। ଆଗାମୀ ପିଢ଼ିକୁ ପୁରୁଣା ମଠବାଡ଼ି ବା ପରମ୍ପରା ବିଷୟରେ କିଛି ବି ଦର୍ଶାଇବା ଲାଗି ଆଉ ପୁରୀରେ ସେମିତି କିଛି ନାହିଁ। କେବଳ ଯାହା ବଞ୍ଚିଛି ତାହା ହେଉଛି ପ୍ରଶାସନର ଅପୂରଣୀୟ ‘ବିଶ୍ଵସ୍ତରୀୟ’ ପରିକଳ୍ପନା। 

୧୨ ଦିନ ପରେ ନ୍ୟାସ୍‌ନାଲ୍‌ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ ହେରିଟେଜ୍‌ ( ଇନ୍‌ଟାକ୍‌)ର ଓଡ଼ିଶା ଅଧ୍ୟାୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଉଦ୍‌ବେଗ ସମ୍ପନ୍ନ ପତ୍ର ବି ଦିଆଯାଇଛି। ସେଥିରେ କୁହାଯାଇଛିଯେ, ଧରାଶାୟୀ ହେଉଥିବା ଐତିହ୍ୟସମ୍ପନ୍ନ କୋଠାକୁ ସଂରକ୍ଷିତ କରାଯାଇପାରିବ। ସେଗୁଡ଼ିକୁ ପୁରୀର ପ୍ରସିଦ୍ଧ ‘ପରିକ୍ରମା’ର ଅଂଶ ବିଶେଷ କରାଯାଇପାରିବ। ଏଣୁ ଏଗୁଡ଼ିକୁ ସମ୍ପୂଣ୍ଣ ନଭାଙ୍ଗି ଏହାର ସଂରକ୍ଷଣ ପାଇଁ ଚେଷ୍ଟା କରାଯିବା ଦରକାର। 

ସମ୍ବଲପୁରରେ ଟାଉନ୍‌ ହଲ୍‌, କଟକରେ ସାମୁଦ୍ରିକ ସଂଗ୍ରହାଳୟପରି ବହୁ ପୁରୁଣା କୋଠା ଏବେ ସଂରକ୍ଷିତ ହୋଇପାରିଛି। ଆଉ କିଛି ଦିନ ଭିତରେ ଇନ୍‌ଟାକ୍‌ ପକ୍ଷରୁ ଚାଲିଥିବା ଅନେକ କାମ ମଧ୍ୟ ସଂରକ୍ଷିତ ଅବସ୍ଥାରେ ସାମ୍ନାକୁ ଆସିବ। ଏଗୁଡ଼ିକ ପର୍ଯ୍ୟଟକଙ୍କୁ ଆକଷ୍ଟ କରିବା ସହ ଆମର ଉତ୍ତର ପିଢ଼ୀ ପାଇଁ ଗର୍ବ ଓ ଗୌରବର ବିଷୟ ହେଉଛି। ଏଣୁ ବିପଦ ଶଙ୍କୁଳ ବୋଲି କହି ବା ପୁରୀକୁ ନିରାପତ୍ତା ଯୋଗାଇବା ଉଦ୍ଦେଶ୍ୟରେ ଏହିପରି ଭାବେ ମଠ ମନ୍ଦିର ଓ ପ୍ରାଚୀନ କିର୍ତ୍ତୀରାଜିଗୁଡ଼ିକୁ ଧ୍ବଂସ ନକରି ସରକାର ସେଗୁଡ଼ିକର ଆବଶ୍ୟକ ଥ୍ରି-ଡି ଡକ୍ୟୁମେଣ୍ଟ ତିଆରି କରନ୍ତୁ। ଏହାପରେ ଯେଉଁ ଅଂଶଟି ବିପଦ ଶଙ୍କୁଳ ତାହାକୁ ଭଙ୍ଗାଯାଉ ବୋଲି ଇନ୍‌ଟାକ୍‌ ମତ ପ୍ରକାଶ କରିଛି। 

ଇନ୍‌ଟାକ୍‌ର ଆବାହକ ଅମୀୟ ଭୂଷଣ ତ୍ରିପାଠୀ କହିଛନ୍ତି, ଆଧୁନିକ ସଂରକ୍ଷଣ ପ୍ରକ୍ରିୟାରେ ଅନେକ କିର୍ତ୍ତିରାଜୀକୁ ସଂରକ୍ଷଣ କରାଯାଇପାରିବ। 

 

Leave a Reply

Your email address will not be published. Required fields are marked *