ଅର୍ଥ ନପାଇ କଂଗ୍ରେସ ପ୍ରାର୍ଥୀ ଛଟପଟ

ଚତୁର୍ଥ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲପରେ ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ କିନ୍ତୁ ପଛରେ ପଡିଥିବା ଦେଖିବାକୁ ମିଳୁଛି। ଏହାର କାରଣ ଅର୍ଥାଭାବ ହୋଇଥିବାବେଳେ ଏଥିପାଇଁ ପ୍ରଦେଶ କଂଗ୍ରେସ କର୍ତ୍ତୃପକ୍ଷଙ୍କ ଆଡକୁ ନେତା ଓ କର୍ମୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି।

ବିଜେଡି ଓ ବିଜେପିର ପ୍ରାର୍ଥୀମାନେ ପ୍ରଚାରର ସମସ୍ତ ସ୍ତରକୁ ଛୁଉଁଥିବାବେଳେ କଂଗ୍ରେସର ପ୍ରାର୍ଥୀଙ୍କୁ ବହୁ ସ୍ଥାନରେ ଦେଖିବାକୁ ମିଳୁନାହିଁ। ରାଜ୍ୟରେ ଅଧିକାଂଶ ସ୍ଥାନ ବିଜେପିର ଗେରୁଆ ଓ ବିଜେଡିର ସବୁଜ ରଙ୍ଗ ପୋଷ୍ଟର ବ୍ୟାନରରେ ରଙ୍ଗାୟିତ ହେଉଥିବାବେଳେ କଂଗ୍ରେସର ପୋଷ୍ଟର ବ୍ୟାନର କାଁ ଭାଁ ଦୃଶ୍ୟମାନ ହେଉଛି। ଅର୍ଥାଭାବରୁ ବହୁ ପ୍ରାର୍ଥୀ ବିଜେଡି ଓ ବିଜେପି ସହିତ ପ୍ରଚାରରେ ପ୍ରତିଯୋଗିତା କରିପାରୁ ନାହାନ୍ତି। ଏପରିକି ଫ୍ଲେକ୍ସ ଓ ପୋଷ୍ଟର ମାରିବାକୁ ବି କେତେକ ସ୍ଥାନରେ ପ୍ରାର୍ଥୀଙ୍କ ନିକଟରେ ଅର୍ଥସଙ୍କଟ ରହିଥିବା ଲକ୍ଷ୍ୟ କରାଯାଉଛି। ସମସ୍ତେ କଂଗ୍ରେସର ଉପର ମହଲକୁ ଅନାଇ ରହିଛନ୍ତି।

ଚଳିତ ନିର୍ବାଚନରେ କଂଗ୍ରେସର ମାଳ ମାଳ ପ୍ରାର୍ଥୀ ଟିକଟ ଫେରାଇବାର ଅନ୍ୟତମ କାରଣ ଅର୍ଥ ବୋଲି ଏବେ ଚର୍ଚ୍ଚା ହେଉଛି। ପ୍ରାର୍ଥୀମାନେ ଟିକଟ ନେବା ସମୟରେ ସେମାନଙ୍କୁ ନିଜ ହାତରୁ ସମସ୍ତ ଖର୍ଚ୍ଚ କରିବାକୁ ପଡିବ ବୋଲି କୁହାଯିବା ପରେ ଅନେକ ଏଥିପାଇଁ ପଛଘୁଞ୍ଚା ଦେଇଥିଲେ। ସୀତାକାନ୍ତ, ରମୁ ଓ ଯୁଧିଷ୍ଟିରଙ୍କ ଭଳି ନେତାମାନେ ସିଧାସଳଖ ଟିକଟ ଫେରାଇ ଦେଇଥିବାବେଳେ ବହୁ ପ୍ରାର୍ଥୀ କେବଳ ନିଜର ପରିଚୟ ପାଇଁ ଟିକଟ ନେଇଥିବା କୁହାଯାଉଛି। ସେମାନଙ୍କୁ ଅର୍ଥ ପ୍ରଦାନ ତ ଦୂରର କଥା ଦଳ ପକ୍ଷରୁ ଆବଶ୍ୟକ ପରିମାଣ ପୋଷ୍ଟର ବ୍ୟାନର ବି ଦଳ ପକ୍ଷରୁ ଯୋଗାଯାଉନଥିବା ଅଭିଯୋଗ ହେଉଛି।

ବିଜେପି ଓ ବିଜେଡି ପକ୍ଷରୁ ଆକର୍ଷଣୀୟ ପୋଷ୍ଟର, ବ୍ୟାନର, ଟୋପି, ଗଞ୍ଜି, ଷ୍ଟିକର ଆଦି ରାଜ୍ୟ ବାହାରୁ ଟ୍ରକ ଟ୍ରକ ହୋଇ ଆସୁଥିବାବେଳେ କଂଗ୍ରେସର କିଏ କେଉଁଠୁ ଆଣି ପ୍ରାର୍ଥୀ ଏହା ଯୋଗାଇବ ତାହା ଖୋଦ‍୍‌ ପ୍ରାର୍ଥୀମାନେ ବି ଜାଣିପାରୁ ନାହାନ୍ତି। ଯେଉଁ ଆସନରେ ବର୍ତ୍ତମାନର ବିଧାୟକ, ଦଳର ବରିଷ୍ଠ କର୍ମକର୍ତ୍ତା ଓ କିଛି ବ୍ୟବସାୟୀମାନେ ପ୍ରାର୍ଥୀ ହୋଇଛନ୍ତି ସେଠାରେ କଂଗ୍ରେସର ପ୍ରଚାର ଜୋରଦାର ଭାବେ ଚାଲିଥିବାବେଳେ ଅନ୍ୟ ବହୁ ଆସନରେ ଏହା ଏକ ପ୍ରକାର ଶିଥିଳ।

ଅର୍ଥାଭାବରୁ ପ୍ରାର୍ଥୀମାନେ ହାତବାନ୍ଧି ବସିଥିବାବେଳେ କର୍ମୀମାନେ ଏବେ ଅନ୍ୟ ଦଳ ମୁହାଁ ହେବାରେ ଲାଗିଛନ୍ତି। ବିଜେପି ଓ ବିଜେଡି ମଧ୍ୟ ମଉକା ଦେଖି କଂଗ୍ରେସର ସଂଗଠକ ଓ କର୍ମୀମାନଙ୍କୁ ନିଜ ପଟକୁ ଆଣିବାପାଇଁ ଉଦ୍ୟମ ଚଳାଇଛନ୍ତି। ବିଜେପି କଂଗ୍ରେସ କର୍ମୀଙ୍କୁ ଆଣି ପଞ୍ଚାୟତ ନିର୍ବାଚନର ପୁନରାବୃତ୍ତି ପାଇଁ ଲାଗି ପଡିଥିବାବେଳେ ବିଜେଡି ନେତାମାନେ ବି ଏ କ୍ଷେତ୍ରରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ତେବେ କଂଗ୍ରେସର ଭୋଟ ଯେଉଁଆଡେ ଯିବ ସେହି ଦଳ ହିଁ ରାଜ୍ୟରେ ସରକାର କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *