ହାଲ୍କା ବର୍ଷା, କୋହଲା ପାଗ ଓ କୁହୁଡ଼ି
ଭୁବନେଶ୍ୱର(ଓଟି): ଶୀତ- ଏବେ ମାଘ ମାସର ବାଘ। ଖୁବ୍ ଡରାଉଛି। ତାସହ ମିଶିଯାଇଛି ବର୍ଷା। ବାସ୍ ଅଦିନିଆ ଝିପିରି ଝିପିରି ବର୍ଷାକୁ କୋହଲା ପାଗ। ସେହିପରି କୋଉଠି କୋଉଠି କୁହୁଡ଼ି। ଏଭଳି ପାଗ ଲାଗିରହିବା ଫଳରେ ସାଧାରଣରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ବିଗତ ୩ଦିନ ହେଲା ହାଲ୍କା ବର୍ଷା, କୋହଲା ପାଗ ଓ କୁହୁଡ଼ିରେ ହାଲ ବେହାଲ୍ ହୋଇଗଲାଣି। ଏପରିକି ଫୁଲବାଣୀରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍କୁ ଖସିଯିବା ଫଳରେ ରାଜ୍ୟର ସବୁଠୁ ଶୀତ ସହର ଭାବେ ପରିଗଣିତ ହୋଇଛି। ଅନ୍ୟପକ୍ଷରେ ଫୁଲବାଣୀ ସମେତ ରାଜ୍ୟର ୧୪ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିବା ସୂଚନା ମିଳିଛି। ଫଳରେ ଜାଡ଼ରେ ଥରୁଛି ସାରା ଓଡ଼ିଶା।
ତେବେ ୧୦ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାଲେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ପବନର ତୀବ୍ରତାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା। ଅନୁରୂପ ଭାବେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା ହଟିନି। ଏଭଳି ସ୍ଥିତିରେ ୧୦ ତାରିଖ ପରଠାରୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଥଣ୍ଡାର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାରି ଫଳରେ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ। ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଦିଆଯାଇଛି।
ଭିଜିଲା ଧାନ, ବ୍ୟାପକ କ୍ଷତି
ଅନ୍ୟପକ୍ଷରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇଛି। ବାରମ୍ବାର କ୍ଷତି ସହିଥିବା ଚାଷୀ ପାଇଁ ପୁଣି ବିପତ୍ତି ଆସିଛି। ମଣ୍ଡିରେ ଧାନ ରଖି ବିକ୍ରି ଅପେକ୍ଷା କରାଯାଇଥିବାବେଳେ ବର୍ଷାରେ ସବୁ ଭିଜିଯାଇଛି। ଏପରିକି ଅନେକ ଚାଷୀଙ୍କ ଅମଳ ଧାନ ଗଜା ହୋଇଯାଇଛି। ବିଶେଷକରି ବୌଦ୍ଧ-ବଲାଙ୍ଗିର ସମେତ ଅନ୍ୟ କେତେକ ସ୍ଥାନରେ ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଏଭଳି ସ୍ଥିତିରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ମଧ୍ୟ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ କିଛିକିଛି ବର୍ଷା ହେବ। ଅନ୍ୟାନ୍ୟ ଜିଲ୍ଲା ପାଇଁ ମଧ୍ୟ ବର୍ଷା ଆଶଙ୍କା ରହିଛି। ତେବେ ୧୦ ତାରିଖରୁ ପାଗ ବଦଳିବା ସହ ପ୍ରାୟତଃ ଶୁଖିଲା ରହିବ ବୋଲି କୁହାଯାଉଛି।