ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : କୋଭିଡ୍ ଯୋଦ୍ଧା ଏବଂ ଜେଇଇ-ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ କର
ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜୁ ଜନତା ଦଳର ବିଧାୟକମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଙ୍କଟ ସମୟରେ ସେମାନଙ୍କ ଦାୟିତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି । ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍ ଅଛି। ଏହି ସଂକଟ ସମୟରେ ବିଧାୟକମାନଙ୍କୁ ଲୋକଙ୍କ ସାଥିରେ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କୋଭିଡ ଯୋଦ୍ଧାମାନଙ୍କ ସାଥିରେ ରୁହନ୍ତୁ । ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ । ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତଦେହ ସଂସ୍କାରରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଭିଡ୍ ଯୋଗୁଁ ଅନ୍ୟ ରାଜ୍ୟରେ ଥିବା ୧୦ ଲକ୍ଷ ଭାଇଭଉଣୀ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଭାଇଭଉଣୀ ମାନେ ଯେପରି ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣ କରିପାରିବେ, ସେଥିରେ ସହଯୋଗ କରିବାକୁ କହିଛନ୍ତି ।
କୋଭିଡ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି NEET ଓ JEE ପରୀକ୍ଷା ଘୁଞ୍ଚାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ବୋଲିସ କହିଛନ୍ତି । କିନ୍ତୁ ତାହା ହେଲା ନାହିଁ। ବର୍ତ୍ତମାନ ଆମ ପାଖରେ ୪୮ ଘଣ୍ଟାରୁ କମ୍ ସମୟ ରହିଛି । ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶାର ଭବିଷ୍ୟତ । ସେମାନେ ଆମ ପରିବାରର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ନିଜ ନିଜ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ପୁରା ସହଯୋଗ କରିବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ।