ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ଯଥାର୍ଥରେ ସେ ଥିଲେ ଜନତାଙ୍କ ନେତା’
ଭୁବନେଶ୍ବର, (ଓଡିଶା ଟାଇମ୍) :ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମହାରଥୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଜଣେ ନିଷ୍ଠାବାନ ଓ ବରିଷ୍ଠ ନେତାଙ୍କୁ ହରାଇଛି । ବିଜୁ ବାବୁଙ୍କ ଦୀର୍ଘ ଦିନର ସହଯୋଗୀ ଥିଲେ ମହାରଥୀ ।
ଅପରପକ୍ଷରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଶୋକ ବାର୍ତ୍ତାରେ କହିଛନ୍ତି ଯେ, ସ୍ବର୍ଗତଃ ମହାରଥୀଙ୍କ ବିୟୋଗରେ ସେ ଗଭୀର ମର୍ମାହତ। ଠିକ୍ ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରଦୀପ ମହାରଥୀ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ତଥା ବିଜେଡିର ଜଣେ ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶନିବାର ମଧ୍ୟରାତ୍ରି ପ୍ରାୟ ୨ଟା ୩୮ମିନିଟ୍ ବେଳକୁ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।