ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ, ଜୁନ ପହିଲାରେ ତାରିଖ ଘୋଷଣା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସ୍‌ ପ୍ରକୋପକୁ ଦେଖି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯାଇଥିଲା। ପରୀକ୍ଷା ହେବ କି ନାହିଁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ।  ଅନ୍ୟପଟେ ଏହାକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ବଡ଼ ବଡ଼ ମନ୍ତ୍ରୀଙ୍କ ଗହଣରେ ବୈଠକ ହୋଇଛି।  ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ଅନେକ ରାଜ୍ୟ ଦ୍ବାଦଶ ପରୀକ୍ଷାକୁ ନେଇ ନିଜ ନିଜର ରାୟ ରଖିଛନ୍ତି ।

ଆଜିର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିବା ବେଳେ ରମେଶ ପୋଖରିଆଲ ନିଶଙ୍କଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ସିବିଏସଇ ପକ୍ଷରୁ ପରୀକ୍ଷା ତାରିଖ ଜୁନ ପହିଲାରେ ଘୋଷଣା ହେବ। ଏହି ବୈଠକ ଦ୍ବାଦଶ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷାକୁ ନେଇ ଆୟୋଜନ ହୋଇଥିଲା। ଏଥିରେ କେନ୍ଦ୍ର ସରକାର ଦୁଇଟି ପ୍ରସ୍ତାବ ରଖିଥିବା ବେଳେ ସିବିଏସଇ ଦ୍ବାଦଶ ପରୀକ୍ଷା ପାଇଁ ଦୁଇଟି ବିକଳ୍ପ ପ୍ରସ୍ତାବ ମଧ୍ୟ ରଖିଛି।

ଏହା ସହ ରାଜ୍ୟ ବୋର୍ଡ ପରୀକ୍ଷାକୁ ନେଇ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ବୈଠକରେ ସ୍ଥିର ହୋଇଛି। ସୂଚନାନୁସାରେ, ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ। ପରୀକ୍ଷା ଆୟୋଜନ କେଉଁ ଫର୍ମାଟରେ କେବେ ଓ କେମିତି ହେବ ଏନେଇ ଜୁନ ୧ରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେବେ। ଏହା ସହ ସବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରାଯିବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପ୍ରସ୍ତାବ ଦେଇଛି ଯେ, କେବଳ ପ୍ରମୁଖ ବିଷୟ ପାଇଁ ଦ୍ବାଦଶ ପରୀକ୍ଷା ଆୟୋଜିତ ହେବ। ବୋର୍ଡ ଦ୍ବାଦଶ ପରୀକ୍ଷା ପାଇଁ ୧୭୪ଟି ବିଷୟରେ ପରୀକ୍ଷା ଆଯୋଜନ ହୋଇଥାଏ। ଏଥିରୁ ୨୦ଟି ବିଷୟକୁ ବୋର୍ଡ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରେ। ଏଥିରେ ଫିଜିକ୍ସ, କେମିଷ୍ଟ୍ରି, ଗଣିତ, ଜୀବ ବିଜ୍ଞାନ, ଇତିହାସ, ରାଜନୀତି ବିଜ୍ଞାନ ଭୂଗୋଳ, ଅର୍ଥଶାସ୍ତ୍ର, ଇଂରାଜୀ ଆଦି ସାମିଲ। ଗୁରୁତ୍ବପୂର୍ଣ୍ଣ ବିଷୟ ପରୀକ୍ଷା କରିବାକୁ ବୋର୍ଡ କେନ୍ଦ୍ରକୁ ଦୁଇଟି ବିକଳ୍ପ ପ୍ରସ୍ତାବ ଦେଇଛି।

Leave a Reply

Your email address will not be published. Required fields are marked *