ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟାଙ୍କ ସମେତ ୬ ଜଣଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ପକ୍ଷରୁ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯିବା ପରେ ଗୁରୁବାର ଦିନ ସିବିଆଇ ଗାର୍ଲଫ୍ରେଣ୍ଡ ରିୟାଙ୍କ ସମେତ ୬ ଜଣଙ୍କ ବିରୋଧରେ କେସ୍ ଦାଏର କରିଛି ।
ସିବିଆଇ ବିହାର ପୋଲିସ ଠାରୁ ଯାଞ୍ଚର ତଥ୍ୟ ନେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ସିବିଆଇ ଯେଉଁ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ରିୟା ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ସ୍ୱବିକ୍ ଚକ୍ରବର୍ତ୍ତୀ, ରିୟାଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡା ଏବଂ ଶୃତି ମୋଦି ପ୍ରମୁଖ ।
ଏମାନେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହୋଇଛନ୍ତି । ଏପରିକି ଅଗଷ୍ଟ ୭ ସୁଦ୍ଧା ଇଡି ନିକଟରେ ହାଜର ହେବା ପାଇଁ ରିୟାଙ୍କୁ ସମନ କରାଯାଇଥିଲା ।
ଏହି ୬ ଜଣଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇବା, ଅପରାଧିକ ଷଡଯନ୍ତ୍ର ରଚିବା, ଚୋରୀ, ପ୍ରତାରଣା ଓ ଧମକଚମକ ଦେବା ଭଳି ଅନେକ ସଙ୍ଗୀନ ମାମଲା ରୁଜୁ କରାଯାଇଛି ।
ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଯାହାପରେ ବିହାର ପୋଲିସ ଜୁଲାଇ ୨୫ରେ ଏକ ମାମଲା ରୁଜୁ କରିଥିଲା । ଏହା ପରେ ବିହାର ପୋଲିସର ତଦନ୍ତ ନିରପେକ୍ଷ ନୁହେଁ ଦର୍ଶାଇ ରିୟା କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଜୁଲାଇ ୩୦ ତାରିଖରେ କୋର୍ଟରେ ଆବେଦନ କରିଥିଲେ ।
ସେହିପରି ବିହାରର ସବୁ ପ୍ରମୁଖ ଦଳ ମାନେ ଏହି ଘଟଣାର ସଠିକ୍ ତଦନ୍ତ ଦାବି କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଯାଉଥିବା ବେଳେ ତାଙ୍କର ପତ୍ତା ମିଳୁନି । ନିକଟ ଅତୀତରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ଗଣମାଧ୍ୟମ ସହ ଆଲୋଚନା ସମୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜଣେ ସୁପାରୀ କିଲର ସହ ବଲିଉଡର ବିଷ କନ୍ୟା ବୋଲି ଆକ୍ଷେପ ମଧ୍ୟ କରିଥିଲେ ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।