ପ୍ରାର୍ଥୀ ବିବାଦରେ କଂଗ୍ରେସ

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଓ ଜିତେନ୍ଦ୍ର ସିଂହ ରାଜ୍ୟ ପ୍ରଭାରୀ ହେବା ପରେ କଂଗ୍ରେସରେ ପ୍ରାର୍ଥୀ ମନୋନୟନ ସମସ୍ୟା ସୃଷ୍ଟି କରିବ ବୋଲି କେହି ଆଶଙ୍କା କରୁ ନଥିଲେ। ଏମିତିରେ ଅନେକ ନେତା ଭବିଷ୍ୟତ ସୁରକ୍ଷା ସନ୍ଧାନରେ ଆଗୁଆ ଦଳରୁ ବାହାରି ଯାଇଛନ୍ତି। କାରଣ ନେତୃତ୍ୱ ଅଭାବରୁ ଦଳ ପୁଣି ଜୀବନ୍ୟାସ ପାଇ ପ୍ରତ୍ୟାବର୍ତ୍ତନ କରିବ ବୋଲି ଅନେକ ନେତା ସନ୍ଦେହରେ ଦଳ ଛାଡ଼ିଛନ୍ତି। କିନ୍ତୁ ଏତେ ଅବସ୍ଥା ଭିତରେ ବି କଂଗ୍ରେସ ଦଳରେ ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା କିଛି କମ ନୁହେଁ। ଏହି ସଂଖ୍ୟା ହିଁ କଂଗ୍ରେସ ନେତୃତ୍ୱର ମୁଣ୍ଡବ୍ୟଥାର କାରଣ ହୋଇଛି। ତା’ଛଡ଼ା କଂଗ୍ରେସ ନେତାମାନେ ଯେଉଁ ନୂଆ ସିଦ୍ଧାନ୍ତ ବଜାରକୁ ଛାଡ଼ୁଛନ୍ତି ତାହା ସମସ୍ୟାକୁ ଆହୁରି ଜଟିଳ କରିଦେଇଛି।

ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ମନୋନୟନ କମିଟିର ବୈଠକ ପରେ ଗଣମାଧ୍ୟମରେ ଏକ ତାଲିକା ପ୍ରକାଶ ପାଇଥିଲା। ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟିରେ ଏବଂ ୧୪୭ଟି ବିଧାନସଭା ମଧ୍ୟରୁ ଅଧିକାଂଶରେ କେଉଁମାନେ ଆପାତତଃ ପ୍ରାର୍ଥୀ ହେବେ, ସେମାନଙ୍କର ତାଲିକା ଚାରିଆଡେ଼ ଘୂରି ବୁଲିଲା। ଅବଶ୍ୟ ଏହି ତାଲିକାରେ ଗୋଟିଏ ଆସନ ପାଇଁ ଦୁଇଜଣଙ୍କ ନାମ ଥିଲା। ତାଲିକା କେଉଁ ସୂତ୍ରରୁ ଏବଂ କିଭଳି ଗଣମାଧ୍ୟମକୁ ଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାରଣ ପ୍ରାର୍ଥୀ ଚୂଡ଼ାନ୍ତ କରନ୍ତି ଏଆଇସିସି। ପ୍ରଦେଶ କମିଟି କେବଳ ନାମ ସୁପାରିଶ କରିଥାଏ। ସ୍ଥଳ ବିଶେଷରେ କିଛି ଆସନରେ ପ୍ରାର୍ଥୀ ମନୋନୟନ କ୍ଷମତା ପ୍ରଦେଶ ସଭାପତିଙ୍କୁ ମିଳିଥାଏ।

କିନ୍ତୁ ଗଣମାଧ୍ୟମରେ ଯେଉଁ ତାଲିକା ବୁଲିଲା, ତାହା କଂଗ୍ରେସ ନେତୃତ୍ୱକୁ ଭୀଷଣ ଅପଦସ୍ତ କରିଦେଲା। ପରଦିନ ନିଜେ ସଭାପତି ନିରଞ୍ଜନ ପଟନାୟକ ଏବଂ ମିଡିଆ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏହି ତାଲିକା ଭୂଲ କହିବାକୁ ପଡ଼ିଲା। ଏଥିରେ କୌଣସି ସତ୍ୟତା ନାହିଁ। କିନ୍ତୁ ଏହି ଜାଲି ତାଲିକା ଦଳର ଅନେକ କ୍ଷତି କରିଦେଲା।

ପ୍ରଭାରୀ ଜିତେନ୍ଦ୍ର ସିଂହ ଟିକଟ ଓ ପରିବାରବାଦ ଉପରେ ଏମିତି ଏକ ମନ୍ତବ୍ୟ ଦେଲେ, ଯାହା କଂଗ୍ରେସର କିଛି ନେତାଙ୍କ ମନରେ ନୂଆ ଆଶଙ୍କା ଭରିଦେଲା। ଜିତେନ୍ଦ୍ର କହିଥିଲେ ଯେ, ପରିବାରର ଜଣଙ୍କୁ ଟିକଟ ମିଳିବ। ବାପା ପାଇଲେ ପୁଅ ପାଇବ ନାହିଁ। ବାପା ଚାହିଁଲେ ନିଜ ଟିକଟକୁ ପୁଅକୁ ଦେଇପାରିବ। କଂଗ୍ରେସ ପରିବାରବାଦରୁ ବାହାରିଯିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ଅଛି। ସଂଖ୍ୟାଗରିଷ୍ଠ ନେତା ଏହାକୁ ସ୍ୱାଗତ ମଧ୍ୟ କରୁଛନ୍ତି। କିନ୍ତୁ ଏହାକୁ ନେଇ ଅନେକ ନେତାଙ୍କ ମଧ୍ୟ ନୂଆ ସନ୍ଦେହ ସୃଷ୍ଟି ହୋଇଯାଇଛି। ଏପରି କି ଅନେକ କଂଗ୍ରେସ ନେତା ମତ ଦେଇଛନ୍ତି ଯେ, ଦେଖିବା ନିରଞ୍ଜନ ବାବୁ ଏବଂ ତାଙ୍କ ପୁଅ ନବଜ୍ୟୋତି ଟିକଟ ପାଉଛନ୍ତି କି ନାହିଁ!

ପରିବାରର ଜଣଙ୍କୁ ଟିକଟ ମିଳିବ ଫର୍ମୁଲା କଡ଼ାକଡ଼ି ଭାବେ ଲାଗୁ କରିବା କଂଗ୍ରେସ ପାଇଁ ଏତେ ସହଜ ହେବ ନାହିଁ। ସେଥିପାଇଁ ଏହାକୁ ଲକ୍ଷ୍ୟକରି ପିସିସି ସଭାପତି ଶନିବାର ଦିନ ଜିତେନ୍ଦ୍ରଙ୍କ ମତକୁ ଖଣ୍ଡନ କରିଛନ୍ତି। ନିରଞ୍ଜନ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ।

ତେବେ ପ୍ରଶ୍ନ ଉଠୁଛି, ପ୍ରଭାରୀ ଜିତେନ୍ଦ୍ର ଏଭଳି ପ୍ରବଚନ ଦେଉଥିଲେ କାହିଁକି? ଜିତେନ୍ଦ୍ରଙ୍କ ମନ୍ତବ୍ୟ ପରେ ନିରଞ୍ଜନଙ୍କ ପ୍ରତିକ୍ରିୟା ଲୋଡ଼ାଯିବା ପରେ ସେ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଲଢ଼ିବାକୁ ଦଳ ସୁଯୋଗ ଦେବ। ଏପରି କି ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀଙ୍କର ଜିତିବାର ସମ୍ଭାବନା ଥିଲେ, ସେମାନଙ୍କ କଥା ବିଚାରକୁ ନିଆଯିବ। ପୂର୍ବରୁ ଗୋଟିଏ ପରିବାରର ଏକାଧିକ ନେତା ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ଦଳ ବିଜୟ ଉପରେ ଗୁରୁତ୍ୱ ଦେଉଛି। ତେଣୁ ଏଭଳି ଯୋଗ୍ୟ ପ୍ରାର୍ଥୀ ଗୋଟିଏ ପରିବାରରେ ଏକାଧିକ ଥିଲେ, ପ୍ରାର୍ଥୀ ମନୋନୟନରେ ପ୍ରତିବନ୍ଧକ ରହିବ ନାହିଁ।

ଗୋଟିଏ ପରିବାରରୁ ଏକାଧିକ ଟିକଟ ଦିଆଯିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ନିରଞ୍ଜନ। ନିରଞ୍ଜନଙ୍କର ଆଉ ଏକ ଟୁଇଟ ମଧ୍ୟ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି, ଟିକଟ ଆଶାରେ ଦଳରେ ଯୋଗ ଦେଉଥିବା ନେତା ହତାଶ ହେବେ। ଏଭଳି ମନ୍ତବ୍ୟ ଯୋଗୁଁ ଅନ୍ୟ ଦଳରୁ ଶେଷ ମୁହୂର୍ତ୍ତରେ କେହି କଂଗ୍ରେସକୁ ଆସିବେ କି? କଂଗ୍ରେସ ସେମାନଙ୍କ ପାଇଁ କବାଟ କାହିଁକି ବନ୍ଦ କରିବ? ହୁଏତ ସେମାନଙ୍କ ଭିତରୁ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବେ, ଯେଉଁମାନଙ୍କର ଜିତିବା ସମ୍ଭାବନା ମଧ୍ୟ ଥିବ।

ତେବେ ସେ ଯାହା ହେଉନା କାହିଁକି ସବୁଠୁ ଆଗେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଯେଉଁ ଦଳ କହିଥିଲା ଏବେ ସେହି ଦଳ ବିଭିନ୍ନ କାରଣରୁ ପଡ଼ିଛି ଅଡ଼ୁଆରେ। ଏହି ଦଳରେ ଗୋଛିକଟାଙ୍କ ସଂଖ୍ୟା କିଛି କମ ନୁହେଁ। ତେଣୁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଯେଉଁ ବିଭୀଷଣମାନେ ସକ୍ରିୟ ହୋଇପଡ଼ିବେ, ସେମାନଙ୍କୁ ରୋକିବା ପାଇଁ ନିରଞ୍ଜନ- ଜିତେନ୍ଦ୍ରଙ୍କ ପାଖରେ କିଛି ଫର୍ମୁଲା ଅଛି କି?

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

Leave a Reply

Your email address will not be published. Required fields are marked *