୨୪ ସୁଦ୍ଧା ମିଳିବ ବୁଲ୍‌ବୁଲ୍‌ କ୍ଷତିପୂରଣ ସହାୟତା

ଭୁବନେଶ୍ଵର, (ଓଟି): ଘୋଷଣା ହୋଇଛି ବୁଲ୍‌ବୁଲ୍‌’ କ୍ଷତିପୂରଣ ପ୍ୟାକେଜ୍‌।  ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଲା ପରେ ଅବାଶ୍ୟକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ସହାୟତା ଯେମିତି ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିବ ସେଥିଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। 

ଏହି ଘୋଷଣା ଅନୁସାରେ, ଯେଉଁ ଅଣଜଳସେଚିତ ଜମିରେ   ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିବ ସେଠାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ସହାୟତା ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଓ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରକାଶିତ ପ୍ରେସ୍‌ବାର୍ତ୍ତାରେ କୁହାଯାଇଛି,  ହେକ୍ଟର ପିଛା ସର୍ବନିମ୍ନ ସହାୟତା ରାଶି ୧୦୦୦ ଟଙ୍କା ରହିଛି। ସବୁଦିନିଆ ଫସଲ ପାଇଁ ସର୍ବନିମ୍ନ ସହାୟତା ୨ ହଜାର ଟଙ୍କା  ମିଳିବ। ସେହିପରି ରବି ଫସଲ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ୫୦ ହଜାର ବିହନର  ମିନିକିଟ ଦିଆଯିବ । ଏଥିସହ  କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ୩ ହଜାର ସ୍ପ୍ରେୟର ଏବଂ ୭୫୦ ଟଙ୍କାର ରିହାତିରେ ହସ୍ତଚାଳିତ ସ୍ପ୍ରେୟର  ଯୋଗାଇ ଦିଆଯିବ। ରବିଋତୁରେ ପରିବା ଫସଲ ପାଇଁ ୧୦ ହଜାର ମିନିକିଟ୍‌, ପାନବରଜ ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା, କ୍ଷତିଗ୍ରସ୍ତ ଛତୁଚାଷୀଙ୍କ ପାଇଁ ୪୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ ସହ ଏ ସଂପର୍କରେ ଆଲୋଚନା କରି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୮ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୨୪ ତାରିଖ ସୁଦ୍ଧା ପ୍ରଭାବିତ ସହାୟତା ବଣ୍ଟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ ‘ବାତ୍ୟା ବୁଲ୍‌ବୁଲ୍‌ ପରେ ଓଡ଼ିଶାର କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ଚଳିତ ମାସ ୧୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌। ପ୍ରଭାବିତ  ଜିଲ୍ଲାକୁ ୧୪ ଓ ୧୫ ତାରିଖରେ ସେମାନେ ଗସ୍ତ କରିବେ । ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ୧୬ ତାରିଖରେ ପୁଣି ଦିଲ୍ଲୀ ଫେରିଯିବେ। ବୁଲ୍‌ବୁଲ୍‌ ପରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ଏହି  କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି ସୂଚନା ରହିଛି।

 

 

 

 

Leave a Reply

Your email address will not be published. Required fields are marked *