ବିଜେପି ସର୍ଭେ : ବଡ଼ କଷ୍ଟରେ ମୋଦି ସରକାର
ଚଳିତ ନିର୍ବାଚନରେ ମୋଦି ଓ ଶାହଙ୍କ ବିଜେପିର ସ୍ଲୋଗାନ ‘ଅବକି ବାର – ଚାର ଶୋ ପାର’। ଉତ୍ତରପ୍ରଦେଶରୁ ନିର୍ବାଚନରେ ବିଜେପି ୭୩ଟି ଆସନରେ ବିଜୟୀ ହେବ ବୋଲି ଶାହ ଏକ ସାକ୍ଷାତକାରରେ କହିଛନ୍ତି। ଯଦି ଏହି ସଂଖ୍ୟାରୁ କମ ହୁଏ ତେବେ ୨୩ମଇ ଦିନ ଗୋଟାଏ ବେଳେ ତାଙ୍କୁ ଫୋନ କରିବାକୁ ସେ କହିଛନ୍ତି। ତେଣୁ ପ୍ରଶ୍ନ ଉଠୁଛି, ନିଜ ଦମରେ ବିଜେପି ବହୁମତ ପାଇବ ବୋଲି ଦଳୀୟ ନେତୃତ୍ୱକୁ ଏତେ ଭରସା ରହିଛି?
ବିଗତ ଏକ ମାସ ମଧ୍ୟରେ ବିଜେପି ପକ୍ଷରୁ ଦୁଇ ଦୁଇ ଥର ସର୍ଭେ କରାଗଲାଣି। ଏହି ଦୁଇଟି ସର୍ଭେରୁ ଯେଉଁ ପରିଣାମ ଆସିଛି ତାହା ବିଜେପି ନେତାଙ୍କର ଝାଳ ବୁହାଇ ଦେଇଛି। ଏହି ସର୍ଭେ ରିପୋର୍ଟ ଅନୁସାରେ ବିଜେପିକୁ ସବୁଠାରୁ ଅଧିକ କ୍ଷତି ଉତ୍ତରପ୍ରଦେଶରୁ ମିଳିବ। ପ୍ରଥମ ସର୍ଭେରେ ବିଜେପି ଉତ୍ତରପ୍ରଦେଶରୁ ୫୨ଟି ଆସନରେ ବିଜୟୀ ହେବ ବୋଲି ଦର୍ଶାଇଥିବାବେଳେ ଦ୍ୱିତୀୟ ସର୍ଭେରେ ୩୨ଟି ଆସନରେ ବିଜୟୀ ହେବ ବୋଲି ଦର୍ଶାଇଛି। ଦୁଇଟି ଯାକ ସର୍ଭେ ରିପୋର୍ଟ ଅନୁସାରେ ବିଜେପି ଉତ୍ତରପ୍ରଦୋରୁ ୩୦-୪୦ଟି ଆସନରେ ବିଜୟୀ ହେବ।
ଏହାର ଅର୍ଥ ନୁହେଁ କଂଗ୍ରେସ ଉତ୍ତରପ୍ରଦେଶରେ ବହୁ ଅଧିକ ଆସନରେ ବିଜୟୀ ହେବ। ଗତ ନିର୍ବାଚନରେ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିବାବେଳେ ଏଥର ଅତି ବେଶୀରେ ୪ଟି ଆସନରେ ବିଜୟୀ ହେବ।
ବିଜେପି ସର୍ଭେ ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ଏସପି-ବିଏସପି-ଆରଏଲଡ଼ି ମହାମେଣ୍ଟକୁ ବହୁତ ଫାଇଦା ମିଳିବ। ପ୍ରଥମ ସର୍ଭେରେ ଟକ୍କର କଡ଼ା ହେବ ବୋଲି କୁହାଯାଇଥିବାବେଳେ ୨ୟ ସର୍ଭେରେ ଅଖିଲେଶ ଯାଦବ ଓ ମାୟାବତୀଙ୍କ ମହାମେଣ୍ଟ ୪୦ରୁ ଅଧିକ ଆସନରେ ଆଗୁଆ ରହିଛନ୍ତି।

ଏହି ସର୍ଭେ ରିପୋର୍ଟ ପରେ ବିଜେପି ନେତୃତ୍ୱ ସଂଘର ରିପୋର୍ଟ ଲୋଡିଛନ୍ତି। ସଂଘର ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ବିଜେପିର ବର୍ତ୍ତମାନର ଅନେକ ସାଂସଦଙ୍କ ଟିକଟ କଟାଯାଇ ନୂଆ ତଥା ଯୁବ ପ୍ରାର୍ଥୀମାନଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି।

ବିଜେପିର ପୁରୁଣା ଅଫିସ ୧୧ ଅଶୋକ ରୋଡ଼ରେ ନିର୍ବାଚନ ୱାର ରୁମ କରାଯାଇଛି। ଏହି ୱାର ରୁମର ଗୋଟିଏ ବିଭାଗରେ ଫିଡ଼ବ୍ୟାକ ଓ ଫର୍ମୁଲା ତିଆରି କରାଯାଉଛି। ଏହି ଅଫିସରେ ବିଜେପି ନେତାମାନେ ଆସନ ବଢ଼ିବାର ହିସାବ-କିତାବ କରୁଛନ୍ତି। ନୂଆ ରଣନୀତି ଅନୁସାରେ ଉତ୍ତରପ୍ରଦେଶର କ୍ଷତିକୁ ପଶ୍ଚିମବଙ୍ଗ, ଓଡ଼ିଶା, ଉତ୍ତର-ପୂର୍ବ ରାଜ୍ୟ ଓ ଦକ୍ଷିଣର ସହଯୋଗୀମାନଙ୍କ ସହଯୋଗରେ ଭରଣା କରାଯିବାକୁୁ ଚେଷ୍ଠା କରାଯାଉଛି।
କିନ୍ତୁ ବିଜେପିର କ୍ଷତି କେବଳ ଉତ୍ତରପ୍ରଦେଶରେ ଆସନ କମିବ ନାହିଁ। ଗତ ଥର ଗୁଜରାଟ, ରାଜସ୍ଥାନର ସମସ୍ତ ଆସନରେ ବିଜେପି ବିଜୟୀ ହୋଇଥିଲା। କେବଳ ମଧ୍ୟପ୍ରଦେଶରେ ଦୁଇଟି ଆସନକୁ ଛାଡ଼ି ଅନ୍ୟ ସବୁ ଆସନରେ ବିଜେପି ବିଜୟୀ ହୋଇଥିଲା। ଛତିଶଗଡ଼ରେ ମଧ୍ୟ ଗୋଟିଏ ଆସନ ଛାଡ଼ି ଅନ୍ୟ ସବୁ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। କିନ୍ତୁ ଏବେ ଏହି ସବୁ ରାଜ୍ୟରେ ବିଜେପିର ପୂର୍ବ ସ୍ଥିତି ଆଉ ନାହିଁ। ତେଣୁ ଏସବୁ ରାଜ୍ୟରେ ବିଜେପିର ଆସନ ସଂଖ୍ୟା ନିଶ୍ଚିତ ଭାବରେ ହ୍ରାସ ପାଇବ।
ଏଥିପାଇଁ ସଂଘ ଓ ସ୍ଥାନୀୟ ନେତାଙ୍କ ସୁପାରିଶକ୍ରମେ ଗୁଜରାଟ ଭଳି ରାଜ୍ୟରେ ବର୍ତ୍ତମାନର ଅନେକ ସାଂସଦଙ୍କ ଟିକଟ କଟାଯାଇଛି। ଆଡ଼ଭାନୀଙ୍କ ସମେତ ୧୦ଜଣ ସାଂସଦଙ୍କ ଟିକଟ କଟିଛି। ଏହା ପରେ ପୂର୍ବ ଭଳି ଜିତିବା ଆଶା ନାହିଁ।
ବିଜେପିର ସର୍ଭେ ରିପୋର୍ଟ ଅନୁସାରେ ଛତିଶଗଡ଼ରେ କଂଗ୍ରେସ ବହୁତ ଅଧିକ ଆସନରେ ବିଜୟୀ ହେବ। ବିଜେପି ଛତିଶଗଡ଼ର ଅନେକ ସାଂସଦଙ୍କ ଟିକଟ କାଟିଥିଲେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ପ୍ରତ୍ୟେକ ଆସନରେ ବିଜେପିକୁ ହରାଇବାକୁ ରଣନୀତି ପ୍ରସ୍ତୁତ କାରିଛନ୍ତି। ଫଳରେ ବିଜେପିର ଅଡ଼ୁଆ ଧୀରେ ଧୀରେ ବଢ଼ିବାରେ ଲାଗିଛି।

ବିଜେପିର ସର୍ଭେ ରିପୋର୍ଟ ଅନୁସାରେ ବିଜେପି ଚଳିତ ନିର୍ବାଚନରେ କେବଳ ୨୨୦ରୁ ୨୩୦ଟି ଆସନରେ ବିଜୟୀ ହୋଇପାରେ। ଯଦି ଏହି ରିପୋର୍ଟ ସତ୍ୟ ହୁଏ ବିଜେପିକୁ ବହୁମତ ପାଇଁ ଆହୁରୀ ୪୦-୫୦ ସାଂସଦଙ୍କ ସମର୍ଥନ ଆବଶ୍ୟକ। ସହଯୋଗୀ ଦଳମାନଙ୍କ ସାହାଯ୍ୟରେ ବିଜେପି ଏହି ସଂଖ୍ୟା ହାସଲ କରିପାରେ। କିନ୍ତୁ ବିଜେପି ନେତୃତ୍ୱ ୨୭୩ ସଂଖ୍ୟା ପାର କରିବାକୁ ଚାହୁଁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ଓଡ଼ିଶା, ଉତ୍ତର-ପୂର୍ବାଞ୍ଚଳ ଓ ପଶ୍ଚିମବଙ୍ଗରେ ଅଧିକରୁ ଅଧିକ କରାଯାଉଛି।
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବିଜେପିର ସଫଳତା ହାର ଶୂନ୍ୟ ରହିପାରେ। ଏହି ଦୁଇ ରାଜ୍ୟରେ ବିଜେପି କୌଣସି ଆସନ ହାସଲ କରିନପାରେ। ଏଥିପାଇଁ ବିଜେପି ଅନ୍ୟଦଳର ମଜଭୂତ ନେତାମାନଙ୍କୁ ପାର୍ଟିରେ ସାମିଲ କରି ଲୋକସଭା ପାଇଁ ପ୍ରାର୍ଥୀ କରିଛି।
କେରଳରେ ବିଜେପି ଅଧିକରୁ ଅଧିକ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇପାରେ। ରାହୁଲ ଗାନ୍ଧୀ କେରଳର ୱାଇନାଡ଼ରୁ ପ୍ରତିଦ୍ୱନ୍ଦ୍ୱୀତା କରିବା ପରେ ବିଜେପିର ସ୍ଥିତି ବିଗିଡ଼ିବାରେ ଲାଗିଛି। ବାମମୋର୍ଚ୍ଚାରେ ମତଭେଦ ବଢୁଥିବାରୁ ଏହାର ଫାଇଦା କଂଗ୍ରେସ ନେଇପାରେ।
ତାମିଲନାଡ଼ୁରେ ବିଜେପି ପୂର୍ବାପେକ୍ଷା ଏବେ ମଜଭୂତ ହେବାରେ ଲାଗିଛି। ଏଠାକାର ସଂଗଠନ କାମ ରେଳମନ୍ତ୍ରୀ ପିୟୁଷ ଗୋୟଲ ଦେଖୁଛନ୍ତି। ସେଠାରେ ବିଜେପି ଏଆଇଏଡିଏମକେ ବ୍ୟତୀତ ଅନ୍ୟ ୭ଟି ଦଳ ସହିତ ମେଣ୍ଟ କରି ୫ଟି ଆସନରେ ନିର୍ବାଚନ ଲଢୁଛି।
ପଶ୍ଚିମବଙ୍ଗରେ ବିଜେପି ତାର ସମସ୍ତ ଶକ୍ତି ଖଟାଇବାରେ ଲାଗିଛି। ଏହାପରେ ଆଶାନୁରୂପ ସଫଳତା ମିଳିଲା ଭଳି ଦେଖାଯାଉନାହିଁ। ୪୨ଟି ଆସନରୁ ଅଧିକ ଆସନରେ ମମତାଙ୍କ ତୃଣମୂଳ ଆଗରେ ଥିବାବେଳେ ବାମପନ୍ଥୀ ଓ କଂଗ୍ରେସ ଶୂନରେ ପହଞ୍ଚିପାରନ୍ତି। ପଶ୍ଚିମବଙ୍ଗରୁ ବିଜେପି ଅତି ବେଶୀରେ ୧୦ଟି ଆସନରେ ବିଜୟୀ ହୋଇପାରେ।
ଓଡ଼ିଶାରୁ ବିଜେପି ଅଧିକ ଆସନରେ ବିଜୟୀ ହେବ ବୋଲି ଆଶା ରଖିଛି। କିନ୍ତୁ ରାଜ୍ୟର ଶାସକ ବିଜେଡିର ସ୍ଥିତି ମଜଭୂତ ଥିବାରୁ ବିଜେପି ଦୁଇ ଅଙ୍ଗରେ ପହଞ୍ଚିବାର ସମ୍ଭାବନା ନାହିଁ।
ଏହିଭଳି ଦେଶର ୧୦୦ଟି ଆସନରେ ବିଜେପି ସ୍ଥିତି ନାହିଁ କହିଲେ ଭୂଲ ହେବ ନାହିଁ। ବିଜେପିର ସର୍ଭେ ଅନୁସାରେ ପଶ୍ଚିମବଙ୍ଗ, ଓଡ଼ିଶା, ଉତ୍ତର-ପୂର୍ବାଞ୍ଚଳ, ଦକ୍ଷିଣ ରାଜ୍ୟରୁ ୫୦ଟି ମିଳିଲେ ବି ଏକୁଟିଆ ବହୁମତ ପାଇ ପାରିବ ନାହିଁ। ତେଣୁ ଏଥିପାଇଁ ବିଜେପି ପ୍ରତିଦିନ ପ୍ରତ୍ୟେକ ଆସନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଯେଉଁଠାରୁ ବିଜେପି ଗତ ୩୭ ବର୍ଷରେ ଆଦୌ ଜିତି ନାହିଁ ଏବେ ସେହି ରାଜ୍ୟ ଉପରେ ବିଜେପିର ଆଗାମୀ ସରକାର ଗଠନ ନିର୍ଭର କରୁଛି।