ଗଞ୍ଜାମରେ ବିଜେଡ଼ିର ବଦଳିବେ ୭ ବିଧାୟକ ପ୍ରାର୍ଥୀ
ଓଡିଶା ରାଜନୀତିରେ ଗଞ୍ଜାମ ସବୁବେଳେ ଚର୍ଚ୍ଚାରେ। କାରଣ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା। ୨୦୦୦ ମସିହା ପରଠାରୁ ଏହି ଜିଲ୍ଲାରେ ବିଜେଡିର ସବୁବେଳେ ଦବଦବା ରହିଛି। ୨୦୧୯ରେ ମଧ୍ୟରେ ସେହି ଟ୍ରେଣ୍ଡ ବଳବତ୍ତର ରଖିବାକୁ ଚେଷ୍ଟା କରୁଛି ବିଜେଡି। କିନ୍ତୁ ଏଥିପାଇଁ ଦଳ ପକ୍ଷରୁ କିଛି କଠୋର ପଦକ୍ଷେପ ନିଆଯିବ। ଜନ ଅସନ୍ତୋଷର ଶିକାର ହେଉଥିବା ବିଧାୟକ ଏବଂ ଜନକଲ୍ୟାଣକାରୀ ଯୋଜନାରୁ ନିଜକୁ ଦୂରେଇ ରଖୁଥିବା ଲୋକ ପ୍ରତିନିଧିଙ୍କୁ ଆଉ ୨୦୧୯ରେ ଲଢିବାର ସୁଯୋଗ ଦେବେନି ମୁଖ୍ୟମନ୍ତ୍ରୀ।

ଗଞ୍ଜାମ ଜିଲ୍ଲାରେ ରହିଛି ୧୩ଟି ବିଧାନସଭା କ୍ଷେତ୍ର। ହିଂଜିଳି, ସାନଖେମୁଣ୍ଡି, ସୋରଡା, ଆସ୍କା, ଛତ୍ରପୁର, ଖଲିକୋଟ, କବିସୂର୍ଯ୍ୟନଗର, ପୋଲସରା, ଚିକିଟି, ଦିଗପହଣ୍ଡି, ବ୍ରହ୍ମପୁର, ଗୋପାଳପୁର ଓ ଭଂଜନଗର। ବିଧାନସଭା ଆସନ ଦୃଷ୍ଟିରୁ ଏହି ଜିଲ୍ଲାରୁ ସର୍ବାଧିକ ଲୋକପ୍ରତିନିଧି ନିର୍ବାଚିତ ହେଉଛନ୍ତି। ବର୍ତ୍ତମାନ ୧୩ଟି ଯାକ ବିଧାନସଭା ଆସନ ବିଜେଡି ଦଖଲରେ ରହିଛି। ୨୦୦୯ରେ କିନ୍ତୁ ବିଜେଡି ଦୁଇ ଆସନ ହାରିଯାଇଥିଲା । ସିପିଆଇ ଆଉ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ପାଇଥିଲେ। ତେଣୁ ୨୦୧୪ର ବିଜୟ ଅଭିଯାନକୁ ୨୦୧୯ରେ ମଧ୍ୟ ଜାରି ରଖିବାକୁ ଏଥର ପ୍ରାର୍ଥୀ ଚୟନକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି।

ଏହିଦୃଷ୍ଟିରୁ ଏଥର ୭ଟି ଆସନରେ ନୂଆ ମୁହଁ ଦେବାକୁ ଚିନ୍ତା କରାଯାଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଆସନରୁ କ୍ରମାଗତ ଭାବେ ଜିତିଆସୁଥିବା ଭି. ସୁଜ୍ଞାନୀ ଦେଓ ଏଥର ଆଉ ନିର୍ବାଚନ ଲଢିବେ ନାହିଁ। ଗତ କିଛି ମାସ ହେଲା ସେ ଅସୁସ୍ଥ ଅଛନ୍ତି। ଅସୁସ୍ଥତା ଯୋଗୁଁ ଗତ ଗତ ବିଧାନସଭାର ବଜେଟ ଅଧିବେଶନରେ ଯୋଗ ଦେଇନଥିଲେ। ସେହିପରି ଆସିକା ଆସନକୁ ପ୍ରତିନିଧିତ୍ବ କରୁଥିବା ଦେବରାଜ ମହାନ୍ତି ମଧ୍ୟ ୨୦୧୯ରେ ଆଉ ବିଜେଡି ଟିକେଟରେ ଲଢିବାର ସମ୍ଭାବନା କମ। କାରଣ ତାଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ସେହିଭଳି ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମଧ୍ୟ ଏଥର ଆଉ ନିର୍ବାଚନ ଲଢିବେ ନାହିଁ। କାରଣ ସେ ମଧ୍ୟ ଗୁରୁତ୍ତର ଭାବେ ଅସୁସ୍ଥ ଥିବା ଜଣାପଡିଛି। ତେଣୁ ତାଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଆଉ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା ଜଣାପଡିଛି।

ସେହିଭଳି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବିରୋଧରେ ମଧ୍ୟ ଜନ ଅସନ୍ତୋଷ ବଢୁଥିବା ବେଳେ ସାଂଗଠନିକ ଦକ୍ଷତା ଅଭାବରୁ ବିଜେଡିର ପ୍ରତି ଗାଁରେ ଦୁଇଟି ଗୋଷ୍ଠି କାର୍ଯ୍ୟ କରୁଛି। ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ମଧ୍ୟ ମୁଖ୍ୟମନ୍ତ୍ରୀ ଦକ୍ଷତା ମାପକାଠିରେ ଫେଲ ମାରିଛନ୍ତି। ଦୁର୍ବଳ ଜନସଂପର୍କ ସାଙ୍ଗକୁ ଜନକଲ୍ୟାଣ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାରେ ସେ ଅସଫଳ ହୋଇଥିବା ଜଣାପଡିଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଏବଂ ଶିକ୍ଷାଗତ ଯୋଗ୍ୟତା କାରଣରୁ ତାଙ୍କୁ ଏଥର ଆଉ ଟିକେଟ ନମିଳିବାର ସମ୍ଭାବନା ରହିଛି। ଏମିତି ବି ତାଙ୍କ ବିରୋଧରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଜନଅସନ୍ତୋଷ ତେଜୁଥିବା ଜଣାପଡିଛି। ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମଧ୍ୟ ସେହିଭଳି ନିଜ ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫେଲ ମାରିଛନ୍ତି। ଦୁଇଟି ବ୍ଲକରୁ ଗୋଟିଏ ବ୍ଲକକୁ ସେ ପ୍ରାଧାନ୍ୟ ଦେଉଥିବା ବେଳେ ଅନ୍ୟଗୋଟିଏ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ସରକାରୀ ଯୋଜନାକୁ ସେ ପହଁଚାଇପାରୁନାହାଁନ୍ତି। ଯେଉଁଥିପାଇଁ ସେହି ବ୍ଲକରେ ପାନୀୟ ଜଳ ଓ ଅନ୍ୟାନ ସମସ୍ୟାର ସମାଧାନ ହୋଇପାରିନି। ଏଥିପାଇଁ ତାଙ୍କୁ ମଧ୍ୟ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରୁଥିବା ଜଣାପଡିଛି।