ବିଜେଡିର ନିର୍ବାଚନୀ ଯୋଜନା ‘ମୋ ନବୀନ ମୋ ଘରେ’
ଏବେ ଆପଣଙ୍କ ଘରକୁ ଆସିବେ ମୁଖ୍ୟମନ୍ତ୍ରୀ। ଅବିଶ୍ୱାସ ଲାଗୁଥିଲେ ବି ସତ। ସ୍ୱଦେହରେ ନହେଲେବି ଟେକ୍ନୋଲଜି ଜରିଆରେ ଆପଣଙ୍କ ପାଖରେ ପହଞ୍ଚିବେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମ ଟ୍ଟ ମୋ ମୁଖ୍ୟମନ୍ତ୍ରୀ, ମୋ ଘରେ। ପ୍ରାଥମିକ ଭାବରେ ୪ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। ଏହି ୪ଟି ଜିଲ୍ଲାର ପ୍ରତି ଗାଁକୁ ଏକ ଟିମ୍ ଯିବ। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇବା ପାଇଁ ଚାହିଁବେ ସେମାନଙ୍କୁ ଟେକ୍ନୋଲଜି ଜରିଆରେ ନବୀନଙ୍କ ସହ ଫଟୋ ଉଠାଇବାରେ ସହଯୋଗ କରିବ ଏହି ଟିମ୍।
ଏହି କାର୍ଯ୍ୟକ୍ରମରେ ଏକ ଅଭିନବ ଏ.ଆର. ଟେକ୍ନୋଲୋଜି ଦ୍ୱାରା ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଯୋଡ଼ି ଏକ ସେଲ୍ଫି ସାଧାରଣ ଲୋକେ ନେଇପାରିବେ। ଆଇଓଏସ୍ ଓ ଆଣ୍ଡ୍ରଏଡ୍ ପ୍ଲାଟ୍ଫର୍ମରେ ନିର୍ମିତ ଏହି ଏ.ଆର. ଟେକ୍ନୋଲୋଜି ଆଜି ପର୍ଯ୍ୟନ୍ତ ଭାରତବର୍ଷରେ କୌଣସି ରାଜନୈତିକ ଦଳ ଦ୍ୱାରା କାର୍ଯ୍ୟକାରୀ କରାଯାଇନାହିଁ। ‘ସେଲ୍ଫି ୱିଥ୍ ସିଏମ୍’ କାର୍ଯ୍ୟକ୍ରମରେ ଇଚ୍ଛୁକ ସାଧାରଣ ଜନତା ବିଜୁ ଜନତା ଦଳ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ଆସି ଏହି ସେଲ୍ଫି ନେଇପାରିବେ। ଏହି ଏ.ଆର. ଟେକ୍ନୋଲୋଜିରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ କେବଳ ଛବି ଆସୁନାହିଁ, ଏଥିରେ ତାଙ୍କର ଜୀବନ୍ତ ଭିଡିଓ ଅଛି, ଯାହାସହିତ ଜଣେ ବ୍ୟକ୍ତି ମୋବାଇଲ୍ ମାଧ୍ୟମରେ ଫଟୋ ଉଠାଇ ତା’ର ପ୍ରିଣ୍ଟ ମଧ୍ୟ ୨୦ ସେକେଣ୍ଡ ମଧ୍ୟରେ ପାଇପାରିବେ।
ଏହି ଅଭିନବ ଟେକ୍ନୋଲୋଜି ଯୁକ୍ତି କାର୍ଯ୍ୟକ୍ରମକୁ ଉନ୍ମୋଚିତ କରି ନିଜେ ମାନବ୍ୟର ସଭାପତି ନିଜର ସେଲ୍ଫି ଉଠାଇଥିଲେ ଏବଂ ତା’ର ପ୍ରିଣ୍ଟ ମଧ୍ୟ ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଡ. ଅମର ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ଅବସରରେ ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ମାନ୍ୟବର ସଭାପତି କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଉକ୍ତ ଟେକ୍ନୋଲୋଜି ଯୁକ୍ତ ପ୍ଲାଟଫର୍ମକୁ ନେଇ ଦଳର କର୍ମକର୍ତ୍ତାମାନେ ଯିବେ ଓ ଜନସାଧାରଣଙ୍କ ଘରେ ନବୀନବାବୁଙ୍କ ବାର୍ତ୍ତା ଓ ନବୀନବାବୁ ଏହି ଏ.ଆର. ଟେକ୍ନୋଲୋଜି ମାଧ୍ୟମରେ ପହଞ୍ଚିବେ। ଯେଉଁ ଭିଡିଓ ଏଥିରେ ଅଛି, ତା’ମାଧ୍ୟମରେ ଦଳର ମାନ୍ୟବର ସଭାପତି ଜନସାଧାରଣଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବେ।