ହିମାଚଳରେ ବାର୍ଡ ଫ୍ଲୁ ଆତଙ୍କ, ପୋଙ୍ଗ ହ୍ରଦରେ ୧୭୦୦ ପକ୍ଷୀ ମୃତ

ଶିମଲା, (ଓଡିଶା ଟାଇମ୍) :ହିମାଚଳ ପ୍ରଦେଶରେ କରୋନା ଭାଇରସ୍ ମହାମାରୀରୁ ଲୋକେ ଧିରେ ଧିରେ ମୁକୁଳୁଥିବା ବେଳେ ରାଜ୍ୟରେ ବାର୍ଡ ଫ୍ଲୁ ପ୍ରବେଶ କରିଛି। ଏହି ରୋଗ କାରଣରୁ କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି ପକ୍ଷୀ ଗୁଡିକରୁ ଏଚ୫ଏନ୧ ଭାଇରସ୍ ଚିହ୍ନଟ ହୋଇଛି।

ସ୍ଥାନୀୟ ପ୍ରଶାସନ ପୋଙ୍ଗ ଡ୍ୟାମରେ ମରି ପଡିଥିବା ପକ୍ଷୀଙ୍କ ନମୂନା ଭୋପାଳ ପଠାଇଥିଲେ। ସେଠାରୁ ପକ୍ଷୀଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି। ଭୋପାଳରୁ ଆସିଥିବା ରିପୋର୍ଟରେ ସମସ୍ତ ପକ୍ଷୀଙ୍କଠାରେ ଏଚ୫ଏନ୧ ଏଭିୟନ ଏନଫ୍ଲୁଏଞ୍ଜାର ଭାଇରସ୍ ଚିହ୍ନଟ ହୋଇଛି।

ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶର ରାଜଧାନୀ ସିମଲାଠୁ ପ୍ରାୟ ୩୦୦ କିଲୋମିଟର ଦୂର ସ୍ଥିତ କାଙ୍ଗଡା ପୋଙ୍ଗ ଜଳାଶୟରେ ଏହି ପ୍ରବାସୀ ପକ୍ଷୀଙ୍କ ରହିବା ପାଇଁ ବାସ ତିଆରି କରାଯାଇଛି। ଏଠାକୁ ପ୍ରତିବର୍ଷ ଶୀତ ଋତୁରେ ସାଇବେରିଆ ଏବଂ ମଧ୍ୟ ଏସିଆର ଅତ୍ୟଧିକ ଥଣ୍ଡା ଅଞ୍ଚଳରୁ ଲକ୍ଷାଧିକ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି ଏବଂ ଫେବୃଆରୀ-ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି। ଏହା ପରେ ପକ୍ଷୀମାନେ ନିଜ ଠିକଣାକୁ ଫେରି ଯାଆନ୍ତି।

Leave a Reply

Your email address will not be published. Required fields are marked *