ବକ୍ସ ଅଫିସରେ ‘ଭାରତ’ର ଧମାକା, ଜଣନ୍ତୁ ୫ ଦିନର ବ୍ୟବସାୟ
ଇଦ୍ ଖୁସିକୁ ଦୁଗୁଣା କରିବା ପାଇଁ ସଲ୍ଲୁ ଭାଇଜାନଙ୍କ ପକ୍ଷରୁ ଉପହାର ଭାବେ ସିନେମାଘରକୁ ଆସିଥିଲା ‘ଭାରତ’ । ଅନେକଦିନ ପରେ ଅନସ୍କ୍ରୀନର ହଟ୍ ଓ ହିଟ୍ ଯୋଡ଼ି ସଲମାନ୍ ଓ କ୍ୟାଟଙ୍କ ରୋମାନ୍ସ ଓ ଇମୋସନକୁ ପୁଣିଥରେ ପରଦା ଉପରେ ଦେଖିବା ପାଇଁ ସିନେପ୍ରେମୀ ବେଶ୍ ଉତ୍କଣ୍ଠିତ ଥିଲେ । ତେଣୁ ଓପନିଙ୍ଗ୍ ଡେ’ରେ ଏହା ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ରେକର୍ଡ଼ କରିବା ସହିତ ପ୍ରଥମ ଦିନର ବ୍ୟବସାୟ ଥିଲା ୪୨.୩୦କୋଟି ଟଙ୍କା । ଗୁରୁବାର ଦିନ ଏହାର ବ୍ୟବସାୟ ୩୧କୋଟି ଛୁଇଁଥିବାବେଳେ ଶୁକ୍ରବାର ଦିନ ଏହାର ବ୍ୟବସାୟ ୨୨.୨୦ କୋଟିଥିଲା । ଶନିବାର ଦିନ ୨୬.୭୦ କୋଟି ଏବଂ ରବିବାର ଦିନ ୨୭.୯୦ ଟଙ୍କାର ବ୍ୟବସାୟ କରିଛି । ତେବେ ମୋଟ ଉପରେ କହିବାକୁ ଗଲେ ୫ଦିନର ମୋଟ ବ୍ୟବସାୟ ହେଉଛି ୧୫୦ରୁ ଊଦ୍ଧ୍ୱର୍ କୋଟି ଟଙ୍କା ।
ଏହାର ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଗୋଟିଏ ୱିକଏଣ୍ଡ୍ ମଧ୍ୟରେ ଏହା ୨୦୦ କୋଟି ପାର୍ କରିଯିବ ବୋଲି ଟ୍ରେଡ୍ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଇଦ୍ ରିଲିଜ୍ ରେକର୍ଡ଼ ଧାରାକୁ ଏହି ଫିଲ୍ମ ଆହୁରି ଟିକେ ଆଗକୁ ନେଇଯାଇଛି ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି । ଏଭଳି ସଫଳତା ପାଇଁ ସଲ୍ଲୁ ଭାଇଜାନ୍ ତାଙ୍କର ଅଗଣିତ ପ୍ରଶଂସକ ଓ ଦର୍ଶକଙ୍କୁ ଇଦ୍ ମୁବାରକ ସହ ଧନ୍ୟବାଦ ଜଣାଇଛନ୍ତି ।