ବାଲେଶ୍ବରରେ ୧୦ଜଣ ଶିଶୁ କରୋନା ପଜିଟିଭ
ବାଲେଶ୍ବର, (ଓଡିଶା ଟାଇମ୍): ବାଲେଶ୍ବରରେ କୋଭିଡ ରିପୋର୍ଟରେ ପୁଣି ଚିନ୍ତାଜନକ ତଥ୍ୟ । ରାଜ୍ୟରେ ଏବେ ଶତାଧିକ ଶିଶୁ ଓ କିଶୋର କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୧୦ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଶିଶୁମାନଙ୍କ ଠାରେ ପ୍ରଥମେ କରୋନା ଲକ୍ଷଣ ଦେଖା ଯିବାରୁ ସେମାନଙ୍କର ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି ।
ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ୪ ଜଣ ଶିଶୁ ଓ ଅନ୍ୟ ୬ ଜଣ ଶିଶୁଙ୍କୁ ରେଡକ୍ରସ୍ କେବିନରେ ଚିକିତ୍ସା କରାଯାଉଛି। ଚିକିତ୍ସିତ ଶିଶୁମାନେ ସେତେଟା ଗୁରୁତର ନଥିବା ସିଡିଏମଓ କହିଛନ୍ତି। ୧୫ ଦିନ ଧରି ଯଦି ଏମିତି ଶିଶୁମାନଙ୍କ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଏ ତେବେ ଏହାକୁ ନେଇ ତର୍ଜମା କରାଯିବ ବୋଲି ସୂଚନା ମିଳିଛି।