ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗ ସୀମା ସିଲ୍ କରାଯାଉ: ବୈଜୟନ୍ତ ପଣ୍ଡା
ଭୁବନେଶ୍ବର, (ଓଡ଼ିଶା ଟାିମ୍) – ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ଓଡିଶାରେ କରୋନା ବୃଦ୍ଧି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିବା ସହ ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗ ସୀମା ସିଲ୍ କରିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ମୁଖ୍ୟମନ୍ତ୍ରୀ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଟ୍ବିଟ୍ କରି କହିଛନ୍ତି।
ପଶ୍ଚିମବଙ୍ଗରୁ ଫେରିଥିବା କିଛି ଲୋକଙ୍କ ଯୋଗୁ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଉତ୍ତର ଓଡ଼ିଶାକୁ କରୋନା ପଜିଟିଭ ଥିବା ଲୋକ ଆସିଛନ୍ତି, ଏହାଦ୍ୱାରା ସରକାରୀ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହୋଇଛି ଏବଂ ଅନେକ ଚିହ୍ନଟ ହୋଇନଥିବା ମାମଲା ମଧ୍ୟ ରହିଛି।ଏନେଇ ଅସ୍ଥାୟୀ ଚେକିଂ କାମ ଦେବନି, ଯେହେତୁ ଅନେକ ମାମଲା ରହିଛି, ଏ ବାବଦରେ ନବୀନ ବାବୁ ଯୋଗୀ ଆଦିତ୍ୟନାଥଙ୍କ ଭଳି ପନ୍ଥା ଆପଣାଇବା ଉଚିତ। ଯୋଗୀ ଆଦିତ୍ୟନାଥ ଗାଜିଆବାଦ ଓ ନଏଡା ସୀମା ସିଲ କଲାଭଳି ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗ ସୀମା ସିଲ୍ କରିବା ଉଚିତ ବୋଲି ଶ୍ରୀ ପଣ୍ଡା କହିଛନ୍ତି।