ଆତ୍ମନିର୍ଭରଶୀଳ ଭାରତ: ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟି ଗ୍ୟାରେଣ୍ଟି
- ବିନା ବନ୍ଧକରେ ଋଣ ମିଳିବ,
- ବଦଳିଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ସଂଜ୍ଞା
- ସ୍ଥାନୀୟ ପ୍ରତିଷ୍ଠାନକୁ ଅଧିକ ସୁଯୋଗ
ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ମଜବୁତ କରିବା ପାଇଁ ସରକାର ୩ ଲକ୍ଷ କୋଟି ଟଙ୍କା ବନ୍ଧକ ଶୂନ୍ୟ ସ୍ୱୟଂଚାଳିତ ଋଣ ଘୋଷଣା କରିଛନ୍ତି । ଏହି ସୂଚନା ପ୍ରଦାନ କରି ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ କହିଛନ୍ତି ଯେ, କରୋନା ପ୍ରଭାବିତ ଏମଏସଏମଇ, କୁଟୀର ଶିଳ୍ପ ଏବଂ ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ୬ଟି ନୂତନ ପଦକ୍ଷେପ ନିଆଯାଇଛି । ସେ କହିଛନ୍ତି ଯେ ଏମଏସଏମଇ କ୍ଷେତ୍ର ପାଇଁ ୪ ହଜାର କୋଟି ଟଙ୍କାର କ୍ରେଡ଼ିଟ୍ ଗ୍ୟାରେଣ୍ଟି ଦିଆଯିବ ଯାହା ଦ୍ୱାରା ପ୍ରାୟ ୨ ଲକ୍ଷ କମ୍ପାନୀ ଉପକୃତ ହେବେ।
୧. ଏମଏସଏମଇ ଏବଂ ବ୍ୟବସାୟ ପାଇଁ ୩ ଲକ୍ଷ କୋଟି ଟଙ୍କା ପାଇଁ ବିନା ବନ୍ଧକ ସ୍ୱୟଂଚାଳିତ ଋଣ ୧୦୦%
ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ, କୁଟୀର ଶିଳ୍ପ ଏବଂ ଘରୋଇ ଶିଳ୍ପ ମିଳିତ ଭାବରେ ୧୨ କୋଟିରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଅନ୍ତି । ସେମାନଙ୍କ ପାଇଁ ୩ଲକ୍ଷ କୋଟି ବିନା ବନ୍ଧକ ସ୍ୱୟଂଚାଳିତ ଋଣର ବ୍ୟବସ୍ଥା କରାଯାଇଛି । ଏହି ଋଣ ବ୍ୟବସ୍ଥାର ଫାଇଦା ଦେବା ଲାଗି ସମ୍ପୃକ୍ତ ପ୍ରତିଷ୍ଠାନକୁ କୌଣସି ପ୍ରକାରର ଗ୍ୟାରେଣ୍ଟି ଦେବା ଆବଶ୍ୟକ ନାହିଁ । ଏହି ଋଣ ସମୟ ସୀମା ମଧ୍ୟ ଚାରି ବର୍ଷ ଧାର୍ଯ୍ୟ କରାଯାଇଛି । ପୁଣି ଋଣ ଗ୍ରହୀତାଙ୍କୁ ପ୍ରଥମ ବର୍ଷରେ ପ୍ରିନ୍ସିପାଲ୍ ଫେରାଇବାକୁ ପଡ଼ିବ ନାହିଁ । ଏହି ଯୋଜନା ୩୧ ଅକ୍ଟୋବର ୨୦୨୦ ଠାରୁ କାର୍ଯ୍ୟକାରୀ ହେବ । ଏହି ଯୋଜନାର ଲାଭ ଉଠାଇ ୪୫ ଲକ୍ଷ ୟୁନିଟ୍ ନିଜର ବ୍ୟବସାୟିକ କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିପାରିବେ ଏବଂ ସେମାନଙ୍କର କାର୍ଯ୍ୟ ସଞ୍ଚୟ ହୋଇପାରିବ ।
୨. ଏମଏସ୍ଏମ୍ଇ ପାଇଁ ୨୦ ହଜାର କୋଟି ଟଙ୍କା ସବଅର୍ଡ଼ିନେଟ ଋଣ
୨୦ ହଜାର କୋଟି ଟଙ୍କାର ସବଅର୍ଡ଼ିନେଟ ଋଣ ଏନପିଏ ସହିତ ଦିଆଯିବ ଏବଂ ଏମଏସଏମଇ ଉପରେ ଗୁରୁତ୍ୱ ଦିଆଯିବ । ଅର୍ଥାତ୍ ଏନ୍ପିଏ ଥିଲେ ବି ଶିଳ୍ପକୁ ଋଣ ମିଳିବ। ଫଳରେ ୨ ଲକ୍ଷରୁ ଅଧିକ ୟୁନିଟ୍ ଉପକୃତ ହେବ ।
୩. ଏମଏସଏମଇ ଫଣ୍ଡ୍ ମାଧ୍ୟମରେ ୫୦ ହଜାର କୋଟିର ଇକ୍ୱିଟି ଇନଫ୍ୟୁଜନ୍
ଯେଉଁ ଏମଏସଏମଇଗୁଡ଼ିକ ଭଲ କାମ କରୁଛନ୍ତି ଏବଂ ବ୍ୟବସାୟକୁ ବିସ୍ତାର କରିବାକୁ ଚାହୁଁଛନ୍ତି, ସେମାନଙ୍କର ଆକାର ଏବଂ କ୍ଷମତା ବୃଦ୍ଧି କରିବାକୁ ଚାହୁଁଛନ୍ତି, କିନ୍ତୁ ଏହି ସୁବିଧା ପାଇ ନାହାଁନ୍ତି, ସେମାନେ ଏହି ପାଣ୍ଠିରୁ ପାଣ୍ଠି ପାଇବେ ।
୪.ଏମ୍ଏସ୍ଏମ୍ଇ ସଂଜ୍ଞା ବଦଳିଲା
କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗ ପ୍ରତିଷ୍ଠାନର ସଂଜ୍ଞା ପରିବର୍ତ୍ତନ କରାଯାଇଛି। ସେମାନଙ୍କ ନିବେଶ ଓ କାରବାର ସୀମାକୁ ବଢ଼ଶଇ ଦିଆଯାଇଛି। ଏହାଦ୍ଵାରା ଦେଶର ଏମ୍ଏସ୍ଏମ୍ଇ ବର୍ଗୀୟ ଶିଳ୍ପାନୁଷ୍ଠାନ ଅନେକ ବ୍ୟବସାୟିକ କଟକଣାରୁ ମୁକ୍ତ ହେବେ। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ
- ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରି ୫ କୋଟି ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ଶିଳ୍ପକୁ ଅଣୁ ଶିଳ୍ପ ବର୍ଗରେ ଗ୍ରହଣ କରାଯିବ।
- ୧୦ କୋଟି ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ଏବଂ ୫୦ କୋଟି ପର୍ଯ୍ୟନ୍ତ ବାଣିଜ୍ୟ କରୁଥିବା ଶିଳ୍ପକୁ କ୍ଷୁଦ୍ର ।
- ୨୦ କୋଟି ପର୍ଯ୍ୟନ୍ତ ବିନିଯୋଗ ଏବଂ ୧୦୦କୋଟି ପର୍ଯ୍ୟନ୍ତ କାରବାର କରୁଥିବା ଶିଳ୍ପକୁ ମଧ୍ୟମ ଶିଳ୍ପ ।
୫. ଦୁଇ ଶହ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟ ପାଇଁ ଗ୍ଲୋବାଲ ଟେଣ୍ଡର ଅନୁମୋଦିତ ନୁହେଁ ।
୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ରୟରେ ଗ୍ଲୋବାଲ ଟେଣ୍ଡର ଅନୁମତି ଦିଆଯିବ ନାହିଁ । ସ୍ଥାନୀୟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ଏହି ବ୍ୟବସ୍ଥା ଆପଣା ଯାଇଛି।
୬. ଅନ୍ୟାନ୍ୟ ପଦକ୍ଷେପ
ଏମଏସଏମଇଗୁଡ଼ିକ ଇ-ମାର୍କେଟ ଲିଙ୍କେଜ୍ ହେବ ।ବାଣିଜ୍ୟ ମେଳାରେ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ ହେବ । ଯଦି ସରକାରୀ ଏବଂ ସାର୍ବଜନୀନ କ୍ଷେତ୍ର କମ୍ପାନୀଗୁଡିକର ଦେୟ ଅଛି, ତେବେ ସେମାନଙ୍କୁ ଆଗାମୀ ୪୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଚେଷ୍ଟା କରାଯିବ ।