ବିଜୟଙ୍କୁ ହରାଇ ଭୁବନେଶ୍ୱର କ୍ଳବର ନୂଆ ସଭାପତି ହେଲେ ଅସିତ୍‌ ତ୍ରିପାଠୀ

ଭୁବନେଶ୍ବର,(ଓଡିଶା ଟାଇମ୍): ବାଜିମାତ କରିଲେ  ଅସିତ ତ୍ରିପାଠୀ  ।  ଭୁବନେଶ୍ୱର କ୍ଳବର ସଭାପତି ଭାବେ ମନୋନୀତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏସ୍‌  ଅସିତ ତ୍ରିପାଠୀ   । ମୋଟ ୭୭୬ଟି  ଭୋଟ ପାଇ ସେ ଏହି ବିଜୟ ହାସଲ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ  ବିଜୟ ପଟ୍ଟନାୟକଙ୍କୁ ୪୯୮ଟି ଭୋଟ ମିଳିଥିବା ଜଣାପଡ଼ିଛି । ଅସିତ ତ୍ରିପାଠୀ ୨୭୮ ଭୋଟରେ ବିଜୟୀ ହୋଇଛନ୍ତି l ତେବେ ବିଜୟ ପରେ ଭୁବନେଶ୍ୱର କ୍ଳବକୁ ବହୁମୁଖୀ କ୍ଳବ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ । ସଂସ୍କୃତି, ଉନ୍ନତିକରଣ କରିବା ସହ କ୍ଲବର ସଦସ୍ୟମାନଙ୍କର ଥିବା ବିଭିନ୍ନ କ୍ଷେତ୍ରରେ ସ୍କିଲର ବିନିଯୋଗ କରାଯିବ ।

ରାଜ୍ୟର ହାଇପ୍ରୋଫାଇଲ୍‌ କ୍ଲବ୍‌ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ ବାଛିବାକୁ ଚାଲିଥିବା ରେସ୍‌ ଆଜି ସରିଛି । ରବିବାର ଭୋଟ୍‌ ଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା । ଗତ ଦୁଇ ଦିନ ଧରି ଅର୍ଥାତ ଶନିବାର ଏବଂ ରବିବାର ଚାଲିଥିବା ଭୋଟିଂରେ ୧୨୫୪ଜଣ କ୍ଲବ୍‌ ସଦସ୍ୟ ଆସି ଭୋଟ୍‌ ଦେଇଥିଲେ । ତେବେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ଫଳ ଘୋଷଣା କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା ।

ରବିବାର ୫୬୯ ସଦସ୍ୟ ଭୋଟ୍‌ ଦେଇଥିଲେ । ଏହା ପୂର୍ବରୁ ଶନିବାର ୬୯୮ଜଣ ଭୋଟ୍‌ ଦେବାକୁ ଆସିଥିଲେ । କ୍ଲବ୍‌ରେ ଥିବା ମୋଟ ୧୮୫୪ ସଦସ୍ୟଙ୍କ ଭୋଟିଂ ଦେବା ଅଧିକାର ଥିବାବେଳେ ଏଥିରୁ ୧୨୬୭ଜଣ ଭୋଟ୍‌ ଦେଇଥିଲେ । କିନ୍ତୁ ଆହୁରି ୫୮୭ ସଦସ୍ୟ ଭୋଟ୍‌ ଦେବାକୁ ଆସିନଥିଲେ । ୨୦୧୩ରେ ଶେଷ ଥର ପାଇଁ ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନ ହୋଇଥିଲା । ଏହା ପରଠାରୁ ଭୋଟିଂ ବଦଳରେ କ୍ଲବ୍‌ ସଭାପତି ଓ ଅନ୍ୟ କର୍ମକର୍ତ୍ତା ପଦ ପାଇଁ ସିଲେକ୍ସନ ହେଉଥିଲା । କିନ୍ତୁ ୮ ବର୍ଷ ପରେ ଏବେ ପୁଣି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରାଯାଇଛି । ସବୁଠୁ ଚର୍ଚ୍ଚାରେ ରହିଥିଲା ସଭାପତି ପଦ ଲଢ଼େଇ । ଏଥିରେ ରାଜ୍ୟର ଦୁଇ ପ୍ରଭାବଶାଳୀ ବ୍ୟକ୍ତି ପରସ୍ପର ବିରୋଧରେ ଛିଡା ହୋଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ କୁମାର ତ୍ରିପାଠୀ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ସଭାପତି ପଦ ପାଇଁ ମୁହାଁମୁହିଁ ହୋଇଥିଲେ । ଅତୀତରେ ରାଜ୍ୟ ଶାସନର ମଙ୍ଗ ଧରିଥିବା ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କ ଭିତରୁ ସମ୍ଭ୍ରାନ୍ତ କ୍ଲବ୍‌ର ମଙ୍ଗ ଏବେ ଅସିତ୍‌ ଧରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *