ଆସନ୍ତା ୧୮ରେ ବିଶ୍ଵ ସହ ଏସିଆ ଏକାଦଶ ଟକ୍କର୍
ନୂଆଦିଲ୍ଲୀ(ଓଟି): ଆସନ୍ତା ୧୮ରେ ବିଶ୍ଵ ସହ ଏସିଆ ଲଢ଼େଇ ହେବ। କେବଳ ୧୮ ନୁହେଁ, ପୁଣି ୨୧ରେ ମଧ୍ୟ ହେବ ଟକ୍କର୍। ଏଥିପାଇଁ ପ୍ରସ୍ତୁତି ଚାଲିଛି ଆଉ ଯୋଦ୍ଧା ଚୟନ ହୋଇସାରିଲାଣି। ହଁ, ଆପଣ କୋଉ ଯୁଦ୍ଧ ବିଷୟରେ ଭାବୁଛନ୍ତି! ଠିକ୍ ସେହି କ୍ରିକେଟ୍ ଲଢ଼େଇ ବିଷୟରେ ଆମେ କହୁଛୁ। ବିଶ୍ଵ ଏକାଦଶ ସହ ଏସିଆ ଏକାଦଶର ହେବ ଦୁଇଟି ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍। ଫର୍ମାଟ୍ ଟି-୨୦ ଅନୁସାରେ ବାଙ୍ଗଲାଦେଶରେ ଖେଳ ହେବ। ଶେଖ୍ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି ସ୍ଵତନ୍ତ୍ର ଖେଳ ହେବ ବୋଲି ବାଙ୍ଗଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପକ୍ଷରୁ କୁହାଯାଇଛି।
ଏସିଆ ଏକାଦଶ ଟିମ୍ରେ ୬ ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ବିରାଟ କୋହଲି, ରିଷଭ ପନ୍ଥ, କେଏଲ୍ ରାହୁଲ୍, ଶିଖର ଧାୱନ୍, ମହମ୍ମଦ ସାମି ଓ କୁଲଦୀପ ଯାଦବ। ତେବେ ରାହୁଲ କେବଳ ଗୋଟିଏ ମ୍ୟାଚ୍ ପାଇଁ ଖେଳିବେ ବୋଲି ଜଣାପଡ଼ିଥିବାବେଳେ ଭାରତୀୟ ଦଳର ବ୍ୟସ୍ତ କାର୍ଯ୍ୟସୂଚୀ ଦୃଷ୍ଟିରୁ ବିରାଟ କେଉଁ ମ୍ୟାଚ୍ ପାଇଁ ଖେଳିବେ ସ୍ପଷ୍ଟ କରାଯାଇନି। ନ୍ୟୁଜିଲାଣ୍ଡ ଗସ୍ତ ସରିବା ପରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଗସ୍ତରେ ଥିବାବେଳେ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ହେବାକୁ ରହିଛି। ସେହିପରି ମାର୍ଚ୍ଚ ୨୯ରୁ ଆଇପିଏଲ୍ ଆରମ୍ଭ ହେବାକୁ ରହିଛି। ଏସବୁ ମଧ୍ୟରେ ଏସିଆ ଏକାଦଶ ପାଇଁ ସମ୍ପୃକ୍ତ ଖେଳାଳିମାନେ କିଭଳି ସମୟ ଦେବେ ତାହା ବିଚାର ବିଷୟ। ଅନ୍ୟପକ୍ଷରେ ୧୫ଜଣିଆ ଟିମ୍ରେ ବାଂଲାଦେଶ ପକ୍ଷରୁ ତମିମ ଇକବାଲ, ଲିଟନ୍ ଦାସ, ମୁଶଫିକର ରହିମ ଓ ମୁସ୍ତଫିଜୁର ସାମିଲ୍ ହୋଇଥିବାବେଳେ ନେପାଳ ପକ୍ଷରୁ ସ୍ପିନର ସନ୍ଦୀପ ଲାମିଛାନେ ସ୍ଥାନ ପାଇଛନ୍ତି।
ଅନ୍ୟପକ୍ଷରେ ଏହି ଖେଳରେ ପାକିସ୍ତାନ ପକ୍ଷରୁ କୌଣସି ଖେଳାଳିଙ୍କ ନାମ ରହିଥିବା ସୂଚନା ମିଳିନାହିଁ।
ଏସିଆ ଏକାଦଶ ଟିମ୍
ବିରାଟ କୋହଲି, ରିଷଭ ପନ୍ଥ, କେଏଲ୍ ରାହୁଲ୍, ଶିଖର ଧାୱନ୍, ମହମ୍ମଦ ସାମି, କୁଲଦୀପ ଯାଦବ ଏବଂ ତମିମ ଇକବାଲ, ଲିଟନ ଦାସ୍, ମୁଶାଫିକୁର ରହିମ୍, ଥିସାରା ପେରେରା, ରାଶିଦ ଖାନ୍, ମୁସ୍ତଫିଜୁର ରହମାନ, ସନ୍ଦୀପ ଲାମିଚାନେ, ଲସିଥ୍ ମାଲିଙ୍ଗା, ଯାଦବ, ମୁଜିବ ଉରାଇ ପ୍ରମୁଖ ଅନ୍ତର୍ଭୁକ୍ତ।