ମୁଁ ଦେଶରୁ ଟଙ୍କା ନେଇ ପଳାଇ ଆସିଥିବା ଖବର ମିଛ, ରହିଥିଲେ ତାଲିବାନ ମୋତେ ହତ୍ୟା କରିଥାନ୍ତେ- ଘନି

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରୁ ପଳାୟନ କରିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଅସରଫ ଘନୀ। ୟୁନାଇଟେଡ୍ ଆରବ ଏମିରେଟସ୍ ରୁ ଘନୀ ନିଜ ବୟାନ ଜାରି କରିଛନ୍ତି। ତାଙ୍କ ବିରୋଧରେ ଉଠୁଥିବା ଅନେକ ଅଭିଯୋଗ ନେଇ ସେ ସଫେଇ ରଖିଛନ୍ତି । ସେ କହିଛନ୍ତି, ଯଦି ତାଲିବାନଙ୍କ କାବୁଲ କବଜା ପରେ ମୁଁ ରହିଥାନ୍ତି ତେବେ ରକ୍ତପାତ ହୋଇଥାନ୍ତା । ମୋତେ ଭଗୋଡା କହୁଥିବା ଲୋକ ପୂରା ସ୍ଥିତି ସମ୍ପର୍କରେ ଜାଣିନାହାନ୍ତି । ଦେଶକୁ ଅଘଟଣରୁ ବଞ୍ଚାଇବା ଲାଗି ମୁଁ ଦେଶ ଛାଡିଛି । ସୁରକ୍ଷା ଦୃଷ୍ଟିରୁ ମୁଁ ଆଫଗାନିସ୍ତାଠାରୁ ଦୂରରେ ରହିଛି। ଶାନ୍ତି ଶୃଂଖଳାର ସହ ମୁଁ କ୍ଷମତା ହସ୍ତାନ୍ତର ଚାହୁଁଥିଲି କିନ୍ତୁ ତାହା ସମ୍ଭବ ହେଲାନାହିଁ। ଟଙ୍କା ନେଇ ଆଫଗାନିସ୍ତାନ ଛାଡିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ଘନୀ କହିଛନ୍ତି ।

ଟଙ୍କା ନେଇ ପଳାଇଥିବା ଅଭିଯୋଗ ଉପରେ ଆଶରଫ ଘାନି ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ଏହି ଅଭିଯୋଗ ସବୁ ଭିତ୍ତିହୀନ। ମୁଁ ଦେଶରୁ ଟଙ୍କା ଟିଏ ଆଣିନାହିଁ। ଶାନ୍ତିପୂର୍ଣ୍ଣ ଭାବରେ ମୁଁ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲି | ଆଫଗାନିସ୍ତାନ ଛାଡି ମୁଁ ମୋ ଦେଶର ଲୋକଙ୍କୁ ରକ୍ତାକ୍ତ ଯୁଦ୍ଧରୁ ରକ୍ଷାକରିଛି। ସୁରକ୍ଷା କାରଣରୁ ମୁଁ ଆଫଗାନିସ୍ତାନଠାରୁ ଦୂରରେ ଅଛି। ସୁରକ୍ଷା ଅଧିକାରୀଙ୍କ ପରାମର୍ଶ ପରେ ହିଁ ମୁଁ ଏପରି ପଦକ୍ଷେପ ନେଇଛି। ସେପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବୃତ୍ତି ଉପରେ ଘାନି କହିଛନ୍ତି ଯେ,  ଆମେ ତାଲିବାନ ସହ କଥା ହେଉଥିଲୁ, କିନ୍ତୁ ଏହା କୌଣସି ନିଷ୍କର୍ସରେ ପହଞ୍ଚିପାରିନଥିଲେ । ସେନା ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଶରଫ୍‌ ଘାନି ଅଗଷ୍ଟ ୧୫ରେ ଆଫଗାନିସ୍ତାନରୁ ପଳାୟନ କରିଥିଲେ । ଏବେ ସେ ଦୁବାଇରେ ରହିଛନ୍ତି ।

ଦେଶରୁ ପଳାୟନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଘାନି । ସ୍ୱଦେଶ ଫେରିବା ପାଇଁ କଥାବାର୍ତ୍ତା ଚଳାଇଛନ୍ତି । ଘାନି  ନିଜ ବାର୍ତ୍ତାରେ କହିଛନ୍ତି ଯେ, ତାଙ୍କ ଇଚ୍ଛା ବିରୋଧରେ ଦେଶରୁ ବେଦଖଲ କରାଯାଇଛି । ଯେଉଁମାନେ ତାଙ୍କୁ  ପଳାତକ କହୁଛନ୍ତି, ସେମାନେ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ । ସେପଟେ ୟୁଏଇ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ମାନବିକତା ଦୃଷ୍ଟିରୁ ଘାନିଙ୍କୁ ତାଙ୍କ ଦେଶରେ ରହିବାକୁ ଅନୁମତି ଦେଇଛି ବୋଲି ୟୁଏଇ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।

Leave a Reply

Your email address will not be published. Required fields are marked *