ଶାହା ଆଗେ ଆଗେ; ରାହୁଲ ପଛେ ପଛେ
ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶାବାସୀଙ୍କ ସମର୍ଥନ ହାସଲ କରିବା ପାଇଁ ବିଜେପି ଓ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସେତିକି ତତ୍ପର ହୋଇଉଠିଲେଣି। ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ଆସନ୍ତା ୩ ତାରିଖରେ ପୁଣିଥରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ସେ ପୁରୀରେ ହେବାକୁ ଥିବା ‘ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ’ର ଉଦଯାପନୀ ସମାରୋହରେ ଯୋଗଦେବେ। ଏହାସହିତ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଅମିତ୍ ଶାହାଙ୍କ ଏପରି ଘନ ଘନ ଓଡ଼ିଶା ଗସ୍ତକୁ ନେଇ ବିରୋଧି କଂଗ୍ରେସ ଶିବିର ଚିନ୍ତାରେ ପଡ଼ିଯାଇଛି।

ବିଜେପି ଓ ଅମିତ୍ ଶାହାଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ କଂଗ୍ରେସ ପଛରେ ନାହିଁ। ଓଡ଼ିଶାର ମତଦାତାମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛି। ଯୋଜନାନୁସାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୬ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶା ଗସ୍ତରେ ଆସି ୨ଟି ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି। କଳାହାଣ୍ଡିର ଭବାନୀପାଟଣାରେ ଦିନ ୧୧ଟା ଓ ରାଉରକେଲାରେ ଦିନ ୨ଟାରେ ଜନସଭାକୁ ସମ୍ବୋଧିତ କରିବେ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ ଯେ, ରାହୁଲ ଗତ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସି, ଭୁବନେଶ୍ୱରରେ ଏକ ଜନସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ।