“ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨” ଲୋକାର୍ପିତ, ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି ।

ଏହି ଦ୍ୱିତୀୟ ସଂସ୍କରଣ ପ୍ରତିଯୋଗିତାକୁ ଲୋକାର୍ପଣ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଥିଲେ ଯେ, ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ‘ଆନନ୍ଦ ବଜାର’ ହେଉଛି ବିଶ୍ୱର ସବୁଠୁ ବଡ଼ ହାଣ୍ଡିଶାଳ । ଆଉ ଆମର ମହାନ୍ ଉତ୍କଳୀୟ ସଂସ୍କୃତିରେ ୧୨ ମାସରେ ୧୩ ପରବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି ।

ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଗତବର୍ଷ ଭଳି ଏଥିରେ ଅଧିକରୁ ଅଧିକ ମହିଳାମାନେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଆଶା । ଓଡ଼ିଆ ଖାଦ୍ୟର ପ୍ରସାର ଓ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାର ସିଜିନ-୨ କାର୍ଯ୍ୟକ୍ରମକୁ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଉଛି । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର,ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମ ସିଜନର ବିଜୟିନୀ ଦେବଯାନୀ ଦାସ ମଧ୍ୟ ଏହି ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

Leave a Reply

Your email address will not be published. Required fields are marked *