ଅନ୍ତିମ ତାରିଖ୍: ପବନର ଫାଶରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ (ଓଟି): ୨୦୧୨ ଡିସେମ୍ବର ୧୬ରୁ ୨୦୨୦ ମାର୍ଚ୍ଚ ୨୦ ଏକ ସୁଦୀର୍ଘ ନ୍ୟାୟିକ ପ୍ରତୀକ୍ଷା। ସେହି ୭ବର୍ଷ ୩ ମାସ ୩ ଦିନ ଧରି କେତେ ଘାତ-ପ୍ରତିଘାତ ମଧ୍ୟରେ ଗତିକରିଛି ‘ନିର୍ଭୟା’ ଆଉ ତାଙ୍କ ଆତ୍ମାର ଅଶାନ୍ତି। ସେହିପରି ସାରା ଦେଶରେ ନ୍ୟାୟ ବ୍ୟବସ୍ଥା ଆଉ ଦୁଷ୍କର୍ମ ଓ ଦୋଷୀଙ୍କୁ ନେଇ ଉଠିଛି ଅନେକ ପ୍ରତିବାଦର ସ୍ଵର। ହେଲେ ତାରିଖ ପରେ ତାରିଖ ଆଉ ବିଧି-ବ୍ୟବସ୍ଥାର ଗଳାବାଟରେ ଦୋଷୀ ନିଜକୁ ବର୍ତ୍ତିବାକୁ କରିଛନ୍ତି ସମସ୍ତ ଉଦ୍ୟମ। ତେବେ ଗତ ୭ ତାରିଖରେ କୋର୍ଟ ଶୁଣାଇଥିଲେ ଏକ ବିଶେଷ ଘୋଷଣା। ତାହା ଥିଲା- ଅନ୍ତିମ ଓ ଅପରବର୍ତ୍ତନୀୟ ସେହି ମାର୍ଚ୍ଚ ୨୦ ତାରିଖରେ ହିଁ ସମସ୍ତ ୪ ଦୋଷୀଙ୍କୁ ଫାଶୀ। ସେହି ଘୋଷଣା ତଥା ନିର୍ଦ୍ଦେଶ ଦେଶବାସୀଙ୍କ ମନରେ ଏକ ଦୃଢ଼ ଆଶା ଜାଗ୍ରତ କରିଥିଲା। ସାଧାରଣରେ ଭରସା ବଢ଼ିଥିଲା- ଏଥର ଆଉ ବଦଳିବନି ତାରିଖ। ଦୋଷୀ ତଥା ତାଙ୍କ ଓକିଲ ଯେତେ ଉଦ୍ୟମ କରନ୍ତୁ ବର୍ତ୍ତିବା ପାଇଁ… ଅନ୍ତ ହେବ ଏକ ଅଧ୍ୟାୟ। ବାସ୍ତବରେ ଆଜି ତାହା ହୋଇଛି। ଜହ୍ଲାଦ ପବନର ଫାଶରେ ଅଧଘଣ୍ଟାଏ ଲେଖାଏଁ ଝୁଲି ରହିଥିଲେ ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂହ। ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରିବା ସହ ମୃତ ଘୋଷଣା କରିଥିଲେ।

ତିହାର ଜେଲ୍‌ରେ ଆଜି ପ୍ରଥମ ଥର ପାଇଁ ୪ ଦୋଷୀଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଛି। ଏଥିସହ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ ଯବନିକା ପଡ଼ିଛି। ତେବେ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ତଥା ଡେଥ୍‌ ୱାରେଣ୍ଟିକୁ ନେଇ ୪ ଥର କୋର୍ଟ ତାରିଖ ଦେଇଥିଲେ। ପୂର୍ବ ୩ଥର ଶେଷ ମୁହୂର୍ତ୍ତରେ ଟଳିଯିବା ହିଁ ଆଇନ ବ୍ୟବସ୍ଥାକୁ ନେଇ ଅନେକ ଆଲୋଚନା ହେଉଛି ଆଉ ଆବଶ୍ୟକ ପରିବର୍ତ୍ତନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ସେ ଯାହାହେଉ, ୭ବର୍ଷ ୩ ମାସ ୩ଦିନର ସେହି ଘଟଣାକ୍ରମକୁ ସଂକ୍ଷିପ୍ତରେ ପୁନଃ ଅବଲୋକନ କରାଯାଉ।

ସେବେଠୁ ଏବେଯାଏଁ ଅଳ୍ପରେ…

୨୦୧୨ ଡିସେମ୍ବର ୧୬ ଥିଲା କାଳ ଦିବସ। ଦେଶବାସୀ କେବେ ମଧ୍ୟ ଭୁଲି ପାରିବେନି ସେହି ବୀଭତ୍ସ ଘଟଣା। ଘଟିଥିଲା ‘ନିର୍ଭୟା’ ଗଣଦୁଷ୍କର୍ମ। ଆଉ ଏହାର ୧୩ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ‘ନିର୍ଭୟା’। ଆଜି ଫାଶୀ ପାଇଥିବା ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କ ସହ ମାମଲାରେ ୬ ଜଣ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୩୩ ବର୍ଷୀୟ ରାମ ସିଂହ ୨୦୧୩ ମାର୍ଚ୍ଚ ୧୧ରେ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିଲା। ସେହିପରି ଆଉ ଜଣେ ଦୋଷୀ ନାବାଳକ ଥିଲା। ତାକୁ ତିନି ବର୍ଷ ସୁଧାର ଗୃହରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା। ତେବେ ୭ ବର୍ଷ ଧରି ଏହି ମାମଲାର ଚାଲିଥିଲା ଶୁଣାଣି। ତଳ କୋର୍ଟ, ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ମଧ୍ୟରେ ବୁଲିଥିଲା ମାମଲା। ଗତ ଜାନୁଆରୀ ୨୨ରେ ୪ ଦୋଷୀଙ୍କୁ ଫାଶୀ ଦେବାକୁ ପ୍ରଥମେ ଡେଥ୍ ୱାରେଣ୍ଟ୍ ଜାରି ହୋଇଥିଲା। କିନ୍ତୁ ବାସ୍ତବ ରୂପ ନେଇପାରିଲାନି। ଏପରିକି ୩ ଥର ଡେଥ୍‌ ୱାରେଣ୍ଟ ଜାରି ପରେ ବି ଫାଶୀକୁ ଟାଳିବାରେ ସଫଳ ହୋଇଥିଲେ ଦୋଷୀ। ଗତ ମାର୍ଚ୍ଚ ୫ରେ ୪ର୍ଥ ଥର ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ। ତେବେ ଏହାକୁ ମଧ୍ୟ ଟାଲିବାକୁ ଦୋଷୀମାନେ କମ୍‌ ଉଦ୍ୟମ କରିନଥିଲେ। କିନ୍ତୁ ଗତ ୭ ତାରିଖରେ ଅନ୍ତିମ ଓ ଅପରିବର୍ତ୍ତନୀୟ ବୋଲି ସ୍ପଷ୍ଟ କରିବା ପରେ ମଧ୍ୟ ସମସ୍ତ ଦୋଷୀ ଦଣ୍ଡରୁ ମୁକୁଳିବାକୁ ଫାଶୀ ପୂର୍ବ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଫଳରେ ଗୁରୁବାର ରାତିରେ ମଧ୍ୟ ସୁପ୍ରିମ୍‌କୋର୍ଟରେ ଏନେଇ ଶୁଣାଣି ହୋଇଥିଲା। ଯାହାକି ଦେଶର ସାମ୍ବିଧାନିକ ଇତିହାସରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି।

ଶେଷ ନୁହେଁ, ଏକ ସଂସ୍କାରିତ ଶୁକ୍ର-ସକାଳ

ଆଜି ଶୁକ୍ରବାର। ନ୍ୟାୟିକ ତଥା ସଂସ୍କାରିତ ସକାଳ। ଠିକ୍‌ ୫ଟା ୩୦ରେ ତିହାର ଜେଲରେ ସମସ୍ତ ୪ ଦୋଷୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ୨୬୫୦ ଦିନ ପରେ ନ୍ୟାୟ ମିଳିଛି ବୋଲି ‘ନିର୍ଭୟା’ଙ୍କ ମା’ ଆଶାଦେବୀ ଓ ପିତା ଆଜି ଦେଶର ସାମ୍ବିଧାନିକ ବିଧି-ବ୍ୟବସ୍ଥା ସମେତ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ମାନ ଜଣାଇଛନ୍ତି। ଏଥିସହ ‘ନିର୍ଭୟା’ ଘଟଣାର ପୁନଃରାବୃତ୍ତି ନହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେହିପରି ଦେଶର କୋଟି କୋଟି ଜନତା ଆଜିର ଦିନକୁ ସ୍ଵାଗତ-ସମ୍ମାନ ଜଣାଇବା ସହ ଖୁସି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *