ଓଡ଼ିଶା ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍
ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଏଥର ଓଡ଼ିଶାର ସମସ୍ତ ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ । କଏଦୀଙ୍କ ସୁରକ୍ଷା ସାଙ୍ଗକୁ ଜେଲରୁ ବାହାରକୁ ଲମ୍ବିଥିବା ଅପରାଧକୁ ରୋକିବାକୁ ଓଡ଼ିଶା କାରାଗାର ନିର୍ଦ୍ଦେଶାଳୟ ଏଭଳି ପଦକ୍ଷେପ ନେବାକୁ ଯୋଜନା କରୁଛି । ଏହି ଡ୍ରୋନ ଗୁଡ଼ିକ ଜେଲ ଉପରେ ଆକାଶମାର୍ଗରୁ ନଜର ରଖିବ । ଯାହା ଫଳରେ ଜେଲରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା କଏଦୀଙ୍କ ବିଷୟରେ ସବିଶେଷ ତଥ୍ୟ ଜେଲ କର୍ତ୍ତୃପକ୍ଷ ସହଜରେ ଜାଣି ପାରିବେ । ତେବେ ଏହି ଅତ୍ୟାଧୁନିକ ଡ୍ରୋନ ଗୁଡ଼ିକରେ ଏଆଇ ଟେକନୋଲୋଜିର ବ୍ୟବହାର ହେବା ନେଇ ମଧ୍ୟ ସୂଚନା ମିଳୁଛି । ଫଳରେ ଜେଲରୁ ଯଦି ଦୈବାତ୍ କୌଣସି କଏଦୀ ଫେରାର ହୋଇଯାଆନ୍ତି ତେବେ ଏହି ଡ୍ରୋନ ଗୁଡ଼ିକ ଅଟୋମେଟିକାଲି ବା ସ୍ବତଃସ୍ପୃତ ଭାବରେ ସେମାନଙ୍କ ପିଛା କରିବେ ଏବଂ ସେମାନେ ରହିଥିବା ସ୍ଥାନର ଠିକଣା ଜେଲ କର୍ତ୍ତୃପକ୍ଷଙ୍କୁ ଦେବେ । ଏ ବ୍ୟବସ୍ଥା ପ୍ରଥମେ କଟକ ଓ ଭୁବନେଶ୍ବରରେ ଆରମ୍ଭ ହେବା ପରେ ରାଜ୍ୟର ଅନ୍ୟ ଜେଲ ଗୁଡ଼ିକରେ ହୋଇପାରେ ।
ଅପରାଧ ଘଟାଇ ସଜା କାଟିବାକୁ ଅପରାଧୀ ମାନେ ଜେଲତ ଆସୁଛନ୍ତି । ହେଲେ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ କାରାଗାରରେ ଥିବା ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସେମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି । ଜେଲରୁ ଥାଇ ମଧ୍ୟ ସେମାନେ ଅପରାଧର ସାମ୍ରାଜ୍ୟ ଚଳାଉଛନ୍ତି । ଅନେକ ସମୟରେ ଜେଲର କିଛି ଦୁର୍ନୀତି ଖୋର କର୍ମଚାରୀଙ୍କୁ ନିଜର ବଶବର୍ତ୍ତୀ କରି ଜେଲରେ ଏକ ପ୍ରକାର ଅୟସ ଆରାମ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ଏଭଳି ସ୍ଥିତିକୁ ଏଡ଼ାଇବାକୁ ଓଡ଼ିଶା କାରାଗାର ନିର୍ଦ୍ଦେଶାଳୟ ଏଭଳି ହାଇ ସିକ୍ୟୁରିଟି ଯୋଜନା କରୁଥିବାର ଚର୍ଚ୍ଚା ଜୋର ଧରିଛି ।
ଏ ସବୁ ବ୍ୟତୀତ ଜେଲରେ କଏଦୀ କଲିଂ ସିଷ୍ଟମ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ବରର ଝାଡ଼ପଡ଼ା ଜେଲ୍ ଏବଂ କଟକର ଚୌଦ୍ବାର ସର୍କଲ ଜେଲରେ ଖୁବ ଶୀଘ୍ର ଏ ବ୍ୟବସ୍ଥା ଆପଣାଯିବା ନେଇ ସୂଚନା ମିଳିଛି । ପ୍ରତି ଜେଲରେ ଅନ୍ୟୁନ ୪ଟି କଲିଂ କିଓସ୍କ ବସିବାର ବ୍ୟବସ୍ଥା ହୋଇଛି । କଏଦୀ ମାନେ ନିଜ ସମ୍ପର୍କୀୟଙ୍କ ସହ କଥା ହେବାକୁ ଯେକୌଣସି ୨ଟି ନମ୍ବର ବାଛି ପାରିବେ । ଫୋନ ବୁଥ ଭିତରକୁ ଏଣ୍ଟ୍ରି ପାଇଁ ସେମାନଙ୍କୁ ଫିଙ୍ଗର ପ୍ରିଣ୍ଟ ଦେବାକୁ ପଡ଼ିବ । ସେମାନେ ଯେଉଁ ମାନଙ୍କ ସହ କଥା ହେବେ ସେମାନଙ୍କ ନାମ ଅଫିସିଆଲ ରେଜିଷ୍ଟରରେ ରେଜିଷ୍ଟର ହେବ । ତାଛଡ଼ା ସମସ୍ତ କଲର ରେକର୍ଡିଂ ଜେଲର ରାଜ୍ୟ ସ୍ତରୀୟ ସର୍ଭରରେ ସେଭ ହେବ । କଏଦୀମାନଙ୍କୁ କଥା ହେବା ପାଇଁ ସର୍ବାଧିକ ୫ ମିନିଟର ସମୟ ଦିଆଯିବ । ଆଉ ୫ ମିନିଟ କଥା ହେବାକୁ କଏଦୀଙ୍କୁ ୫ଟଙ୍କା ଦେବାକୁ ହେବ ।
ଜେଲରେ ଫୋନର ଅପବ୍ୟବହାର ହେଉଥିବାରୁ ଏଭଳି ପଦକ୍ଷେପ ଆପଣାଇବାକୁ ଯୋଜନା କରୁଛି ଜେଲ ନିର୍ଦ୍ଦେଶାଳୟ । ଏସବୁ ବ୍ୟତୀତ ଜେଲ ଜଗୁଥିବା କର୍ମଚାରୀଙ୍କ ପାଇଁ ବଡି଼ କ୍ୟାମେରାର ବ୍ୟବସ୍ଥା ମଧ୍ୟ ହେବାକୁ ଯାଉଛି ।