ଜଗନ୍ନାଥଙ୍କ ନାଁରେ ପୁଣି ଷଡ଼ଯନ୍ତ୍ର: ସୂୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ‘ମିଲି ଭଗତ୍‌’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶ୍ରୀ ଜଗନ୍ନାଥଙ୍କ ନାଁରେ ପୁଣି କାରସାଦି ଆରମ୍ଭ ହୋଇଛି। ଏଥର ସ୍ନାନ ପୂଣ୍ଣମୀ ସିଧା ପ୍ରସାରଣକୁ ଆଳ କରି ସରକାରୀ କଳ ସେହି ନିର୍ଦିଷ୍ଟ ଭିଡିଓ ପ୍ରଡକ୍ସନ୍‌ ସଂସ୍ଥାକୁ କୋଟି କୋଟି ଟଙ୍କା ଟେକିଦେବାକୁ ବସିଛନ୍ତି। ଯେଉଁ କାମ  ପାଇଁ ପୂର୍ବ ବର୍ଷଗୁଡ଼ିକରେ ଘରୋଇ ଟିଭି ଚ୍ୟାନେଲ୍‌ଗୁଡ଼ିକ ଶ୍ରୀମନ୍ଦିରକୁ ଅର୍ଥ ଦାନ ଦେଉଥିଲେ ଏବେ ସେହି କାମ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ନିଜ ତହବିଲରୁ ଖର୍ଚ କରିବାକୁ ଯାଉଛନ୍ତି। ଆଉ ଏସବୁ ମୂଳରେ ଆଳ ହେଉଛି କୋଭିଡ୍‌ -୧୯ ବା କରୋନା ମହାମାରୀ ଓ ତଥାକଥିତ ସାମାଜିକ ଦୂରତ୍ଵ। 

ଜୁନ୍‌ ୫ ତାରିଖରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ହେବ। ଏହିଠାରୁ ରଥଯାତ୍ରା ସମାରୋହ ଅଙ୍କୁରୋଦ୍‌ଗମ୍‌ ହୁଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅପରପକ୍ଷେ ଏହିଦିନଠାରୁ ପୁରୀର ଆଧ୍ୟାତ୍ମିକ ଗୁରୁତ୍ଵ ଆହୁରି ବଢ଼ିଯାଏ। ଏବର୍ଷ କରୋନା ଭୁତାଣୁ ସଂକ୍ରମଣର ଭୟ ଓ ସରକାରୀ କଟକଣା ହେତୁ ଭକ୍ତଙ୍କ ସମାଗମ ଉପରେ ରୋକ ଲଗାଯାଇଛି। ଏଣୁ ଟେଲିଭିଜନ୍‌ ପର୍ଦା ଅଥବା ଇଣ୍ଟରନେଟ୍‌ ମାଧ୍ୟମରେ ଡିଜିଟାଲ୍‌ ପର୍ଦା ଉପରେ ଯେଉଁ ସିଧା ପ୍ରସାରଣ ଆମ ଘରକୁ ବା ହାତକୁ ଆସିବ ତାହା ହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ସ୍ନାନଯାତ୍ରାକୁ ଉପଭୋଗ କରିବାର ଏକମାତ୍ର ବିକଳ୍ପ ହେବ। ଅପରପକ୍ଷେ ବିଚାର କଲେ ଏହି ଯାତ୍ରାକୁ ଟେଲିଭିଜନ୍‌ ଏବଂ ମୋବାଇଲ୍‌ ଫୋନ୍‌ ବା କମ୍ପ୍ୟୁଟରରେ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିବ। ବ୍ୟବସାୟିକ ଭାଷାରେ  ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ହେବ। 

ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଭଲ ଭାବେ ଜାଣିଛନ୍ତି। ତଥାପି ଟେଲିଭିଜନ୍‌ରେ ପ୍ରସାରଣ ପାଇଁ ଦେୟ ଆଦାୟ, ବିଡିଂ କରାଯିବା ବଦଳରେ ସେମାନଙ୍କୁ ମାଗଣା ଭିଡିଓ ଦେବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍‌ ଯେଉଁ ଘରୋଇ ଟେଲିଭିଜନ୍‌ ଏବେ ସିଧା ପ୍ରସାରଣ କରିବେ ସେମାନେ କୌଣସି କାମ ନକରି ସରକାରଙ୍କଠୁ ସିଧା ସଳଖ ମାଗଣାରେ ଫିଡ୍‌ (ଭିଡିଓ) ପାଇବେ ଏବଂ ତାହାକୁ ପ୍ରସାରଣ କରିବା ସମୟରେ ବିଜ୍ଞାପନ ଦେଇ ବ୍ୟବସାୟ କରିବାର ଏକ ସୌଭାଗ୍ୟ ଅର୍ଜନ କରିବେ! 

ଘରୋଇ ଟେଲିଭଜନ୍‌କୁ ଏହି ସହାୟତା ଦେବା ଲକ୍ଷ୍ୟରେ କିନ୍ତୁ ସରକାର ଏ  ବ୍ୟବସ୍ଥା କରି ନାହାନ୍ତି ବରଂ ଏ ଭିତରେ ଏକ ଭିତିରି ଉଦ୍ଦେଶ୍ୟ ରହିଛି। ଏହାକୁ ଷଡ଼ଯନ୍ତ୍ର ବୋଲି କୁହାଯାଇପାରେ।  ତାହା ହେଲା ଏକ ନିର୍ଦିଷ୍ଟ ଘରୋଇ ଫାର୍ମକୁ ଅଦୃଶ୍ୟ ଭାବେ ଲାଭାନ୍ବିତ କରିବା। କୋଭିଡ୍‌-୧୯ ସମୟରେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ବାର୍ତ୍ତାକୁ ସୋଶାଲ୍‌ ମିଡିଆରେ ପ୍ରସାରଣ କରିବା ଲାଗି ଏହି ସଂସ୍ଥା ନିକଟରେ ୧୦ କୋଟି ଟଙ୍କା ଉଠାଇଥିବା ଚର୍ଚା ହୋଇଛି। ପୂର୍ବରୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଡକ୍ୟୁମେଣ୍ଟାରୀ ନିର୍ମାଣ ଆଳରେ କୋଟି କୋଟି ଟଙ୍କା ଏହି ସଂସ୍ଥାକୁ ବଣ୍ଟା ଯାଇଛି। ପୂର୍ବରୁ ଏ ବାବଦରେ ଅନେକ ରିପୋର୍ଟ ପ୍ରକାଶ ପାଇଛି , କିନ୍ତୁ ସମ୍ପୃକ୍ତ ସଂସ୍ଥାର ମାଲିକଙ୍କୁ ସରକାର ଏଥିଲାଗି ଅନେକ ପୂୁରସ୍କାର ଦେଇ ତାଙ୍କୁ ଲୁଟିବା ଲାଗି ଅଧିକ ସୁଯୋଗ ଦେଇଛନ୍ତି।  ଏପରି ଅନୁକମ୍ପା ଦେଖିଲେ ଯେ କେହି ଆଶଙ୍କା କରିବା ସ୍ଵଭାବିକ ଯେ, ଏହି ସଂସ୍ଥା ସହ ସରକାରୀ କାର୍ଯ୍ୟକ୍ରମରେ ଉଚ୍ଚ କ୍ଷମତାପନ୍ନ ବାବୁ, ବାବୁଆଣୀ ବା ନେତାଙ୍କ କିଛି ହାତ ଗୋଡ଼  ନିଶ୍ଚୟ ରହିଛି, ନୁହେଁକି ? 

କାହିଁକି ଏ ଆଶଙ୍କା?

ମନରେ ପ୍ରଶ୍ନ ଉଠିବା ଦରକାର ଏହି ସଂସ୍ଥାକୁ ବା ଅନ୍ୟ କୌଣସି ଘରୋଇ ସଂସ୍ଥାକୁ ସରକାର କାହିଁକି ଦାୟିତ୍ଵ ଦେବେ?   ସଳଚନା ଓ ଲୋକ ସମ୍ପର୍କ ବିଭାଗ  କ’ଣ ଏଥିଲାଗି ସକ୍ଷମ ନୁହେଁ? 

ଏ ଉତ୍ତର ପାଇବା ଲାଗି ଟିକେ ବିଭାଗର ଭିତ୍ତିଭୂମି ଓ ମାନବସମ୍ବଳ କଥା ଆଲୋଚନା କରିବା। ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସିଧା ପ୍ରସାରଣ ଦାୟିତ୍ଵ ଦେଇଛନ୍ତି। କିନ୍ତୁ ଏହି ବିଭାଗ ପାଖରେ ସିଧା ପ୍ରସାରଣ କରିବା ଲାଗି ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ ବା ତାହା କିଣା ଯିବାର ଯୋଜନା ନାହିଁ। ଆସନ୍ତା ୫ ଦିନ ଭିତରେ ଏସବୁ କିଣିବା ବି ସମ୍ଭବ ନୁହେଁ। ଏହା ବାଦ୍‌ ପୂର୍ବରୁ ଲାଇଭ୍‌ ବା ସିଧା ପ୍ରସାରଣର କୌଣସି ସିଧାସଳଖ ଅଭିଜ୍ଞତା ରାଜ୍ୟ ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ପାଖରେ ନାହିଁ। ଯେତେବେଳେ ବି ସିଧା ପ୍ରସାରଣ କଥା ସରକାରୀ କଳ ଚିନ୍ତା କରିଛି ସେତେବେଳେ କୌଣସି ଘରୋଇ ଟିଭି ଚ୍ୟାନେଲ ବା ଘରୋଇ ସଂସ୍ଥାକୁ ଆପଣାଇଛି। ଯେଉଁ ସରକାରଙ୍କ ଲୋକସମ୍ପର୍କ ବିଭାଗ ପାଖରେ ବିଭାଗୀୟ ସୋଶାଲ୍‌ ମିଡିଆ ଆକାଉଣ୍ଟ ଗୁଡ଼ିକୁ ପରିଚାଳନା କରିବା ଲାଗି ପ୍ରଫେସନାଲ୍‌ ନାହାନ୍ତି ଏବଂ ସେଥିଲାଗି ଦେଶୀ ବିଦେଶୀ ଅନୁଷ୍ଠାନକୁ ସରକାର ଭଡ଼ାରେ ନେଉଛନ୍ତି ସେଠାରେ ଗୁଣାତ୍ମକ ତଥା ପ୍ରତିଦ୍ଵନ୍ଦ୍ଵିତାମୂଳକ ସିଧା ପ୍ରସାରଣ ଭିଡିଓ ଆଶା କରିବା କେମିତି ସମ୍ଭବ ହେବ? 

କଥାରେ ଅଛି ଏହି ବିଭାଗରେ କର୍ମଚାରୀମାନେ ଏତେ ଦକ୍ଷ ଯେ, ଏଠାରେ ଇ-ମେଲ୍‌ ବି ହାତରେ ନିଆଯାଇ ବାବୁଙ୍କୁ ଦେଖାଯାଏ ଓ ତାହାର ଅନୁମୋଦନ କରାଯାଏ, ଆଉ ତାହାକୁ ପୁଣିଥରେ ସ୍କାନ୍‌ କରାଯାଇ ଇମେଲ୍‌ କରାଯାଏ।  ଏଣୁ ଏଭଳି ଏକ ବୈଷୟିକ କୌଶଳ ବ୍ୟବହାର ସମ୍ପନ୍ନ ବିଭାଗରେ  ସିଧା ପ୍ରସାରଣ ଭିଡିଓ ପ୍ରଡକ୍ସନ ଆଶା କରିବା ବୃଥା। 

ଅପରପକ୍ଷେ ସରକାରଙ୍କ କୌଣସି ବି  ଛୋଟ ବଡ଼  କାର୍ଯ୍ୟକ୍ରମର ଭିଡିଓ ଶୁଟିଂ, ଡକ୍ୟୁମେଣ୍ଟ ପ୍ରସ୍ତୁତି ଲାଗି ବିଭାଗ ପାଖରେ ତାଲିକାଭୁକ୍ତ ସଂସ୍ଥାକୁ ଏପରି ଦାୟିତ୍ଵ ମିଳେ ନାହିଁ। ଯେଉଁ ସଂସ୍ଥାମାନେ ଏପରି ଦାୟିତ୍ଵ ପାଆନ୍ତି ସେମାନେ ନା ସୂଚନା ଓ ଲୋକସମ୍ପର୍କ ବିଭାଗଦ୍ଵାରା ପୂର୍ବରୁ ତାଲିକାଭୁକ୍ତ ହୋଇଛନ୍ତି ନା କେନ୍ଦ୍ର ସରକାରଙ୍କ ଡିଏଭିପି  ଦ୍ଵାରା ତାଲିକାଭୂକ୍ତ ଅଟନ୍ତି।  ଅର୍ଥାତ୍‌ ନୀତି ଅନୁସାରେ ସେମାନଙ୍କର ପୂର୍ବରୁ ସେହିଭଳି ସରକାରୀ କାର୍ଯ୍ୟକ୍ରମ ପ୍ରସାରଣର ଅଭିଜ୍ଞତା ନାହିଁ। ଅର୍ଥାତ୍‌ ଯଦି ରାଜ୍ୟର ଅଡିଟ୍‌ ଡିପାର୍ଟମେଣ୍ଟ ଏବଂ ମାହାଲେଖା ନିୟନ୍ତ୍ରକ ସତର୍କ ହେବେ ଏବଂ ଠିକଣା ଅନୁଶୀଳନ କରିବେ ତେବେ ଏ ମାମଲାରେ ହେଉଥିବା ଅନିୟମିତତା ନିଶ୍ଚିତ ପଦାକୁ ଆସିବ। 

ଦୂରଦର୍ଶନ କ’ଣ ଚୂଲିକୁ ଯିବ?

ରାଜ୍ୟ ସରକାରଙ୍କ ଦ୍ଵାରା ଆଇନଗତ ଭାବେ ପରିଚାଳିତ ହେଉଥିବା କୌଣସି ଟିଭି ଚ୍ୟାନେଲ୍‌ ନଥିଲେ ମଧ୍ୟ ଅନେକ ଟିଭି ସରକାରଙ୍କ କଥାରେ ଉଠ ବସ ହୁଅନ୍ତି ଏହାକୁ କେହି ଅସ୍ଵୀକାର କରିବେ ନାହିଁ। ଅପରପକ୍ଷେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ନିଜସ୍ଵ ଏକ ଜାତୀୟସ୍ତରର ଟେଲିଭିଜନ୍‌ ସଂସ୍ଥା ରହିଛି।  ପ୍ରସାରଭାରତୀ ଦ୍ଵାରା ପରିଚାଳିତ ଏହି ସଂସ୍ଥାର ଓଡ଼ିଶା କେନ୍ଦ୍ର ଅତୀତରେ ସରକାରୀ ଓ ଘରୋଇ କାର୍ଯ୍ୟକ୍ରମର ଗୁଣାତ୍ମକ ସିଧା ପ୍ରସାରଣ କରିବାର ଅଭିଜ୍ଞତା ରଖିଆସିଛି। ରଥଯାତ୍ରା ସିଧା ପ୍ରସାରଣରେ ଘରୋଇ ଟିଭି ଚ୍ୟାନେଲ୍‌ଙ୍କ ପ୍ରବେଶ ପୂର୍ବରୁ ଏହି ଚ୍ୟାନେଲ୍‌ ହିଁ ପ୍ରସାରଣ କରି ଆସୁଥିଲା। ଏହିକ୍ରମରେ ରାଜ୍ୟ ସରକାର ତଥା ଶ୍ରୀମନ୍ଦିର ପ୍ରଶାସନ ପ୍ରସାରଭାରତୀକୁ ଅନୁରୋଧ କରିବା ଲାଗି ତତ୍ପର ହୋଇପାରି ଥାଆନ୍ତେ। ଏହି ସରକାରୀ ସଂସ୍ଥା ଘରୋଇ ସଂସ୍ଥା ଅପେକ୍ଷା କମ୍‌ ଅର୍ଥ ବ୍ୟୟରେ ଗୁଣାତ୍ମକ ପ୍ରସାରଣ କରିବା ସହ ଘରୋଇ ଚ୍ୟାନେଲ୍‌ଙ୍କୁ ଭିଡିଓ ବିତରଣ କରିବା ଏବଂ ଓ୍ବେବ୍‌ରେ ପ୍ରସାରଣ ପାଇଁ ଆବଶ୍ୟ ଭିଡିଓ ଲିଙ୍କ୍‌ ଦେବା ବ୍ୟବସ୍ଥା କରିପାରି ଥାଆନ୍ତେ। ଏ କ୍ଷେତ୍ରରେ ଅନେକ ଅଭିଜ୍ଞତା ସେମାନଙ୍କର ରହିଛି। ଏହାଛଡ଼ା ପ୍ରସାର ଭାରତୀ ବା ଓଡ଼ିଶାରେ ଥିବା ଦୂରଦର୍ଶନ କେନ୍ଦ୍ର ଏପରି ଏକ କାର୍ଯ୍ୟ ପାଇଁ ସରକାରଙ୍କ ଅନୁରୋଧ ପାଇଲେ କୃତ୍ୟକୃତ୍ୟ ହୋଇ ଆଗକୁ ଆସିବାରେ କୌଣସି ଅବକାଶ ରଖିବ ନାହିଁ ବୋଲି ଆଶା କରାଯାଇପାରେ। ହେଲେ ଅଭିଜ୍ଞ ଶ୍ରୀମନ୍ଦିର ପ୍ରଶାସନ ଏ ଚିନ୍ତନ କାହିଁକି କରିପାରିଲେ ନାହିଁ ତାହା ପ୍ରଶ୍ନ ଘେରକୁ ଆସିଛି। 

କିଛି ଗୋପନ ଅଛି କି?

ଗଣମାଧ୍ୟମର ପ୍ରତିନିଧିମାନେ ଆଜି ଯେଉଁପରି ଭାବେ କୋଭିଡ୍‌ ପରିସ୍ଥିତିର ଖବର ପ୍ରସାରଣ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ନପାଇ ପ୍ରତିନିଧି ଓ ସଂସ୍ଥାମାନେ ସେମାନଙ୍କ କାର୍ଯ୍ୟକ୍ରମ  ଏହି କଠିନ ସମୟରେ ଜାରି ରଖିଛନ୍ତି। ଅର୍ଥାତ୍‌ ସେମାନେ ସେମାନଙ୍କ ମର୍ଯ୍ୟାଦା ଓ ସମ୍ମାନ ବଜାୟ ରଖିଛନ୍ତି। ହେଲେ ସରକାର ଏହି କୋଭିଡ୍‌ ସମୟକୁ ଯେଉଁଭଳି ପରିଚାଳନା କରୁଛନ୍ତି ସେଥିରେ ଅନେକ ଗୋପନ ରହସ୍ୟ ରହିଥିବା ଆଶଙ୍କା ହେଉଛି। ଜରୁରୀକାଳୀନ ସ୍ଥିତି କହି ସରକାରୀ କଳ ତାହାକୁ ମନ ଇଚ୍ଛା ପରିଚାଳନା କରୁଛନ୍ତି। ବିନା ସାମ୍ବାଦିକରେ ଏକଦା କୋଭିଡ୍‌ ମୁଖପାତ୍ର ଭାବେ ସାମ୍ନାକୁ ଆସୁଥିବା ସୁବ୍ରତୋ ବାଗ୍‌ଚୀ ଭିଡିଓ ବାର୍ତ୍ତାକୁ ସାମ୍ବାଦିକ ସମ୍ମିଳନୀ ବୋଲି ଅଭିହିତ କରୁଥିଲେ। ଯଦିଓ ଏବେ ସେ ଆଉ ଆସୁ ନାହାନ୍ତି କିନ୍ତୁ ସେଇ ଧାରା ଜାରି ରହିଛି। 

ଏବେ ସ୍ନାନଯାତ୍ରାରେ ବି ସେମତି କିଛି ଜିନିଷକୁ ବୋଧ ହୁଏ ପ୍ରଶାସନ ଗୋପନ ରଖିବାକୁ ଚାହୁଁଛି। ଯାହା ଘରୋଇ ଗଣମାଧ୍ୟମର କ୍ୟାମେରା ଆଗରେ କେବେ ଛୁପି ରହିବ ନାହିଁ। ଏଣୁ ସରକାର ନିଜସ୍ଵ ବ୍ୟବସ୍ଥା କରି ଖବରକୁ ନିଜ ଅନୁସାରେ ମୋଡ଼ିବାର ପରମ୍ପରାରେ ଆଉ ଏକ ଅଧ୍ୟାୟ ଯୋଡ଼ିବାକୁ ଚାହିଁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ଶେଷକଥା 

କୋଭିଡ୍‌ ସମୟରେ ସାମାଜିକ ଦୂରତ୍ଵ ରକ୍ଷା ଏକ ତଥାକଥିତ ବ୍ୟାପାର । ଏବେ ସହର ବଜାରରେ ଯେମିତି ଗୋଳିଆ ମିଶା ଚାଲିଛି ସେଥିରେ ମାସ୍କ ଦାଢ଼ି ନିଶ ଲୁଚାଇବା ଲାଗି ହିଁ କେବଳ ବ୍ୟବହାର ହେଉଥିବା ଜଣାଯାଏ। ଏହା କେବେ ପାଟି ଓ ନାକକୁ ଲୁଚାଉଥିବା ଆମେ ଦେଖି ପାରୁ ନାହୁଁ। ଯାହା ହେଲେ ବି ସ୍ନାନ ପୂଣ୍ଣମୀ ପରି ଏକ ପବିତ୍ର ଯାତ୍ରାକୁ ସୁରୁଖୁର କରିବା ଲାଗି ସରକାର କଟକଣା ଜାରି କରିବା ବି ସ୍ଵାଗତ ଯୋଗ୍ୟ। କିନ୍ତୁ କୌଣସି ନିର୍ଦିଷ୍ଟ ସଂସ୍ଥାକୁ କୋଟିପତି କରିବା ଲକ୍ଷ୍ୟକୁ ଏଥିରେ ଅନ୍ତର୍ନିହିତ ଉଦ୍ଦେଶ୍ୟ ଭାବେ ଗ୍ରହଣ କରାଯିବା ଆଦୌ ଗ୍ରହଣୀୟ ନୁହେଁ। 

ଏଠାରେ ଶ୍ରୀମନ୍ଦିର ପ୍ରଶାସନର ଚିଠିକୁ ଡାଉନ୍‌ଲୋଡ୍‌ କରନ୍ତୁ। 

Leave a Reply

Your email address will not be published. Required fields are marked *