ରାତି ପାହିଲେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି, ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପୁରୀ, (ଓଡିଶା ଟାଇମ୍): ପାହିଲେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି। ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମର୍ଚ୍ଚିକୋଟ ଛକ ଯାଏଁ ବ୍ୟାରିକେଡ ବ୍ୟବସ୍ଥା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ୍ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶ୍ରୀମନ୍ଦିର ଏସ ଓପି ଅନୁଯାୟୀ ଆସନ୍ତାକାଲି ହରି ଉତ୍ଥାପନ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

ଆସନ୍ତାକାଲି କାଲି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ପଞ୍ଚୁକ ନୀତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମର୍ଚ୍ଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ର ବ୍ୟବସ୍ଥା ହୋଇଛି। ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିର ଭିତର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମୁଦାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ। ସେହିପରି ସମୁଦ୍ର କୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଙ୍ଗ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯେଉଁ ଭକ୍ତ ଓ ପର୍ଯ୍ୟଟକ ମାନେ ପୁରୀ ଆସିବେ ସେମାନେ ମାର୍କେଟ ଛକ ପାଖ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ସମୁଦ୍ର କୂଳ ଅଞ୍ଚଳର ଦିଗବାରେଣି ସହ ଲାଇଟ ହାଉସ ପାଖ ଯାତ୍ରିକା ଠାରେ ଗାଡି ପାର୍କିଂ କରିବା ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି।

ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅବସରରେ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସହ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ। ପଞ୍ଚୁକ ପ୍ରଥମ ଦିନ ଅର୍ଥାତ ଆସନ୍ତାକାଲି ସୋମବାର ଅବସରରେ ହରି ଉତ୍ଥାପନ ଏକାଦଶୀ ସହ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ମଙ୍ଗଳବାର ବାଙ୍କଚୁଡ ବେଶ, ବୁଧବାର ତ୍ରିବିକ୍ରମ ବେଶ, ଗୁରୁବାର ଲକ୍ଷ୍ମୀନୃସିଂହ ବେଶ ସହ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ପବିତ୍ର ପଞ୍ଚୁକ ଅବସରରେ ଅତି ନିଷ୍ଠାର ସହ ଏହି ବ୍ରତ ଯେଉଁ ମାନେ ପାଳନ କରିଥାନ୍ତି ସେମାନଙ୍କୁ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।

Leave a Reply

Your email address will not be published. Required fields are marked *