ଲକ୍ଷ୍ମୀପୁର କାଣ୍ଡରେ କୃଷକ ସଂଗଠନର ରଣ ହୁଙ୍କାର, ୧୮ରେ ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସକେଏମ) ଲକ୍ଷ୍ମୀପୁର ଖେରୀ ହିଂସା ପ୍ରତିବାଦରେ ମହାପଞ୍ଚାୟତ ଆୟୋଜନ କରିବାକୁ ଘୋଷଣା କରିଛି। ସଂଗଠନ ଅକ୍ଟୋବର ୨୬ରେ ଲକ୍ଷ୍ନୌରେ କରିବ କୃଷକ ମହାପଞ୍ଚାୟତ। ଏହା ବ୍ୟତୀତ ଅକ୍ଟୋବର ୧୮ରେ ଦେଶବ୍ୟାପୀ ରେଳ ରୋକ୍ ଘୋଷଣା କରିଛି କୃଷକ ସଂଗଠନ। ଏପରିକି ଅଜୟ ମିଶ୍ରଙ୍କ ଇସ୍ତଫା ଏବଂ ଆଶିଷ ମିଶ୍ରଙ୍କ ଗିରଫ ଦାବି କରିଛି ସଂଗଠନ।
ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଅକ୍ଟୋବର ୧୫ ତାରିଖ ଦଶହାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯିବ। ଏହି ଘଟଣାରେ ସଂଗଠନ ଯୋଗୀ ଆଦିତ୍ୟନାଥ ସରକାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ସରକାର ପ୍ରଭାବଶାଳୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁନାହିଁ ଓଲଟା ବିରୋଧୀଙ୍କ ସ୍ଵରକୁ ଚପାଇବାକୁ ଉଦ୍ୟମ କରୁଛି। ଲକ୍ଷ୍ମୀପୁର ଖେରି ହିଂସା ମାମଲାକୁ କୃଷକ ସଂଗଠନ ସରକାରଙ୍କ ସୁନିୟୋଜିତ ଷଡଯନ୍ତ୍ର ଦର୍ଶାଇଛି।
ଏସକେଏମ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, ଲକ୍ଷ୍ମୀପୁର ଖେରି କାଣ୍ଡର ନିରପେକ୍ଷ ଯାଞ୍ଚ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ହଟାଇ ତାଙ୍କୁ ଗିରଫ କରାଯିବା ଉଚିତ୍। କାରଣ ଏହି ବ୍ୟକ୍ତି ହିଁ ଷଡଯନ୍ତ୍ର ଆରମ୍ଭ କରିଥିଲା। ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ବିରୋଧରେ ସରକାର ହିଂସାତ୍ମକ ଆଭିମୁଖ୍ୟ ଆପଣେଇଥିଲେ। ଆମେ ଦାବି କରୁଛୁ ଯେ, କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଉ ବୋଲି ଯୋଗେନ୍ଦ୍ର ଯାଦବ କହିଛନ୍ତି।