ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲକ୍ଷ୍ମୀପୁର ଖେରି ହିଂସା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦେଶରେ ବର୍ତ୍ତମାନ ସବୁଠୁ ବଡ ପ୍ରସଙ୍ଗ ପାଲଟିଥିବା ଲକ୍ଷ୍ମୀପୁର ହିଂସା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ଆଡୁ  ହସ୍ତକ୍ଷେପ କରିଛନ୍ତି। ପ୍ରଧାନ ବିଚାରପତି ଏନଭି ରମନ୍ନା, ବିଚାରପତି ସୂର୍ଯ୍ୟକାନ୍ତ ଓ  ହୀମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାରେ ଗୁରୁବାର ଶୁଣାଣି କରିବେ। ରବିବାର ଘଟିଥିବା ହିଂସାରେ ୪ କୃଷକଙ୍କ ସହିତ  ନଅ ଜଣଙ୍କ ମୃତ୍ୟୁ ଘଟିଥିଲା।

କୃଷକ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଛି। କିନ୍ତୁ ମନ୍ତ୍ରୀ ଓ ତାଙ୍କ ପୁଅଙ୍କ ଦାବି ଏହା ଯେ, ସେ ଘଟଣାସ୍ଥଳରେ ନଥିଲେ। ଏହି ଘଟଣାରେ ଉତ୍ତେଜିତ କୃଷକ ଭଙ୍ଗାରୁଜା କରିବା ସହ ଗାଡି ଜାଳି ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଡ୍ରାଇଭରଙ୍କ ବ୍ୟତୀତ ବିଜେପିର ୩ କାର୍ଯ୍ୟକର୍ତ୍ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଖବର ପ୍ରସାରଣ ସମୟରେ ଆହତ  ଜଣେ ସାମ୍ବାଦିକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ଘଟଣାକୁ ୭୨ ଘଣ୍ଟରୁ ଅଧିକ ସମୟ ବିତି ସାରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯିବା ତ ଦୂରର କଥା କୃଷକଙ୍କ ଉପରେ ଗାଡି ଚଢାଇଥିବା ଏବଂ ପୁଣି ଚାରି ଜଣଙ୍କୁ ପିଟି ପିଟି ମାରିଥିବା ଅଭିଯୁକ୍ତଙ୍କ ଚିହ୍ନଟ ଏ ପର୍ଯ୍ୟନ୍ତ ପୋଲିସ କରି ପାରିନାହିଁ।

Leave a Reply

Your email address will not be published. Required fields are marked *