ବଡ଼ଧରଣର ଭୂକମ୍ପ ଝଟକା, ଗଲା ୨୦ ଜଣଙ୍କ ଜୀବନ

ଇସଲାମାବାଦ, (ଓଡିଶା ଟାଇମ୍): ବଡ଼ ଧରଣର ଭୂକମ୍ପ ଝଟକାରେ ଥରିଛି ପାକିସ୍ତାନ। ଆଜି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ଏକାଧିକ ଭୂକମ୍ପ ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଯୋଗୁ ଘର ଓ ଛାତ ଭୁଶୁଡ଼ି ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଗୁରୁବାର ଭୋର ୩.୩୦ରେ ଲୋକମାନେ ବାଲୋଚିସ୍ତାନରେ ଭୂକମ୍ପ ଝଟକା ଅନଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଥିଲା। ବଡ଼ଧରଣର ଝଟକା ପରେ ଲୋକମାନେ ଆଉ କିଛି ଛୋଟ ଛୋଟ ଝଟକା ମଧ୍ୟ ଅନଭୁବ କରିଥିଲେ। ଏବେ ବି ଭୂକମ୍ପ ପରବର୍ତ୍ତୀ ଝଟକା କିଛି ସ୍ଥାନରେ ଅନୁଭୂତ ହେଉଛି।

ଝଟକା ଭୋର ସମୟ ହୋଇଥିବାରୁ ଅଧିକାଂଶ ଲୋକ ଘର ମଧ୍ୟରେ ଶୋଇଥିଲେ। ତେଣୁ ସେମାନେ ଠିକ୍‌ ସମୟରେ ଘରୁ ଖୋଲା ସ୍ଥାନକୁ ଆସି ପାରି ନଥିଲେ। ଏଥିଯୋଗୁ ଅନେକ ସ୍ଥାନରେ ଘର ଭାଙ୍ଗି ଓ ଛାତ ଭୁଶୁଡ଼ି ଅନୂନ୍ୟ ୨୦ ଜଣ ଲୋକଙ୍କ ଜୀବନ ଯାଇଛି। ଆହତ ହୋଇଥିବା ଅନ୍ୟ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାରକାରୀ ଦଳ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହାରନାଇ ସହର। ଏଠାରେ ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି। ହେଲେ ପ୍ରକୃତରେ କ’ଣ ଘଟିଛି, ସେକଥା ଏଯାଏ ଜଣାପଡ଼ିନି। ହାରନାଇ ବ୍ୟତୀତ କ୍ୱେଟ୍ଟା, ସିବି, ପିଶିନ, କ୍ୟୁଲା ସୈଫୁଲ୍ଲା, ଛାମନ, ଜିଆରତ ଓ ଝୋବରେ ମଧ୍ୟ ଭୂକମ୍ପ ଯୋଗୁ କ୍ଷୟକ୍ଷତି ଘଟିଛି।

କେବଳ ହାରନାଇରେ ୭୦ଟି ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି। ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *