ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ଶତାବ୍ଦୀନଗର ନାଳରେ ରବିବାରଠୁ ଭାସି ଯାଇଥିବା ନାବାଳକର ମିଳିନି ପତ୍ତା । ରବିବାର ଦିନ ଅଢ଼େଇଟା ବେଳେ ଏହି ଅଘଟଣ ଘଟିଥିଲା ସୁଦ୍ଧା ଏଯାଏଁ ନାବାଳକକୁ ଉଦ୍ଧାର କରାଯାଇପାରିନି ।

ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଚାଲିଥିବା ବେଳେ ରାତି ହେବାରୁ ଏହି ଅପରେସନକୁ ବନ୍ଦ କରାଯାଇଥିଲା। ଆଜି ପୁଣି ଏହି ଅପରେସନ ଜାରି ରହିବ । ଛାତ୍ର ଜଣକ ହେଲେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା। ରାଜା ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେସାଙ୍ଗେ ଫେରି ଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରିନଥିଲେ। ପ୍ରବଳ ବର୍ଷା ଯୋଗୁ ଡ୍ରେନ୍ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା। ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍ ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ।

Leave a Reply

Your email address will not be published. Required fields are marked *