୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ଗୁରୁବାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି। ଅପରପକ୍ଷେ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ଚିଠି ଲେଖିଛନ୍ତି।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଗୁରୁବାର ଦିନ ସମୟରେ ଖରା ରହିବ। ଉପରବେଳା ଘଡ଼ଘଡ଼ି ସହ ବର୍ଷା ହେବ । ୨୮ରୁ ବର୍ଷା ବଢ଼ିପାରେ। ଉପକୂଳ ଓଡ଼ିଶାରେ ୩୦ ତାରିଖ ଓ ଦକ୍ଷିଣ ଓଡ଼ିଶାରେ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ୨୯ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଦୁର୍ବଳ ହେବ। ମାତ୍ର ଘୁର୍ଣ୍ଣିବଳୟର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି। ଗତ ୨୪ ଘଣ୍ଟାରେ ଆନନ୍ଦପୁରରେ ୬୨ ମିଲିମିଟର ବର୍ଷା ହୋଇଥିବା ବେଳେ ବାଣପୁରରେ ୫୮ମିଲିମିଟର, ଦଶପଲ୍ଲାରେ ୫୨ ମିଲିମିଟର, ଭୁବନେଶ୍ୱରରେ ୪୨ ମିଲିମିଟର, ରାଜଘାଟରେ ୪୧ ମିଲିମିଟର, ବନ୍ତରେ ୪୦ ମିଲିମିଟର, ଟାଙ୍ଗିରେ ୩୬ ମିଲିମିଟର, ଡୁଙ୍ଗୁରିପାଲିରେ ୩୨ ମିଲିମିଟର, ବାରିପଦାରେ ୨୧ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *