ଆଫଗାନିସ୍ତାନ ସଙ୍କଟ ଉପରେ ପୁଟିନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ଏବେ ତାଲିବାନ କବଜାରେ ରହିଛି । ଆଫଗାନ ସଙ୍କଟ ସାରା ବିଶ୍ବରେ ପ୍ରଭାବ ପକାଇଛି । ଏହା ସହ ସମସ୍ତ ଦେଶ ନିଜ ନିଜର ନାଗରିକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିନେବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପାଖାପାଖି ୪୫ ମିନିଟ୍‌ ଫୋନ୍‌ରେ ଆଲୋଚନା କରିଛନ୍ତି । ଆଫଗାନିସ୍ତାନର ସ୍ଥିତି ଉପରେ ଦୁଇ ରାଷ୍ଟ୍ର ମୁଖ୍ୟ  ଚର୍ଚ୍ଚା କରିଥିବା ଜଣାପଡ଼ିଛି।

ଏହି ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆଫଗାନିସ୍ତାନ ପରିସ୍ଥିତି ସମ୍ପର୍କରେ ମୋର ମିତ୍ର ରାଷ୍ଟ୍ରପତି ପୁଟିନଙ୍କ ସହ ବିସ୍ତୃତ ଆଲୋଚା କରିଛି। ଏହା ସହ ଆମେ ଦ୍ବିପାକ୍ଷିକ ଏଜେଣ୍ଡା ଉପରେ ଚର୍ଚ୍ଚା କରିଛୁ। ଏଥିରେ କରୋନା ବିରୋଧରେ ଭାରତ ଏବଂ ରୁଷ ସହଯୋଗ ସାମିଲ ଅଛି। ଆମେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରଖିବା ଉପରେ ମଧ୍ୟ ସହମତି ପ୍ରକାଶ କରିଛୁ।’

ଏବେ ବିଶ୍ବ ପାଖରେ ତାଲିବାନ ନେତୃତ୍ବାଧୀନ ସରକାରକୁ ମାନ୍ୟତା ଦିଆଯିବ କି ନାହିଁ ବୋଲି ଏକ ବିରାଟ ଆହ୍ବାନ ଆସି ଛିଡ଼ା ହୋଇଛି। ଅନେକ ଦେଶ ଏହାର କଡ଼ା ବିରୋଧ ମଧ୍ୟ କରିଛନ୍ତି । ଅନ୍ୟ କିଛି ଦେଶ ତାଲିବାନ ସରକାରକୁ ନିଜର ସମର୍ଥନ ଜଣାଇଛନ୍ତି। ଚୀନ ଏବଂ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ସହ ତାଲିବାନ ଭିନ୍ନ ଭିନ୍ନ ବୈଠକ କରିଥିବା ମଧ୍ୟ ଖବର ମିଳିଛି। ଅନ୍ୟପଟେ ଆଫଗାନିସ୍ତାନରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଦିମିତ୍ରୀ ଝିରନୋଭ ତାଲିବାନର ଆଚରଣକୁ ପ୍ରଶଂସା କରିଥିଲେ। ତାଲିବାନର ଦୃଷ୍ଟିକୋଣକୁ ଭଲ, ସକାରାତ୍ମକ ବୋଲି ସେ କହିଥିଲେ। ଏପରି ସ୍ଥଳେ ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା କେତେ ଫଳପ୍ରଦ ହେବ ତାହା ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *