ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶର ନୂଆ ଶିକ୍ଷାମନ୍ତ୍ରୀ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀ ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ପରିଦର୍ଶନ କରିବେ । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ବକୁଳ ବନ ପରିଦର୍ଶନରେ ଯିବେ ।
ରାଜ୍ୟର ସାମାଜିକ, ଶିକ୍ଷା ଏବଂ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଏହି ଐତିହ ବନ ବିଦ୍ୟାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ପଞ୍ଚସଖାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ବିଚାରଧାରାର ସ୍ମୃତିଚାରଣ କରିବେ । ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିଲା । ଏଠାରେ ପ୍ରାଚୀନ ଭାରତରେ ଗୁରୁକୁଳ ପରମ୍ପରାକୁ ପୁର୍ନଜୀବିତ କରିଵାର ପ୍ରୟାସ ଆରମ୍ଭ ହୋଇଥିଲା। ବନବିଦ୍ୟାଳୟ ଶିକ୍ଷାର ଲକ୍ଷ୍ୟ ଥିଲା ଛାତ୍ରଙ୍କ ମନରେ ଜାତୀୟଚେତନା ଜାଗୃତ କରିବା ଏବଂ ଭବିଷ୍ୟତରେ ସେମାନଙ୍କୁ କୁଶଳୀ ମାଧ୍ୟମରେ ସ୍ୱାବଲମ୍ବୀ କରିବା । ତେଣୁ ଏଠାରେ ପାଠପଢ଼ା ସହିତ ଛାତ୍ରମାନଙ୍କୁ କୃଷି, ବଗିଚା କାମ, ବଢେଇ କାମ, କୁଟ୍ଟୀର ଶିଳ୍ପ ଆଦି ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଥିଲା । ମୂର୍ତ୍ତି ତିଆରି କରି ପିଲାଙ୍କୁ ମୂର୍ତ୍ତି କାରିଗରୀ ଶିଖାଯାଉଥିଲା । ସଙ୍ଗୀତ ସହ ନାଟକର ଶିକ୍ଷା ମଧ୍ୟ ଦିଆଯାଉଥିଲା । ତେବେ ବର୍ତ୍ତମାନ ଭାରତ ସରକାର ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଯୁବପିଢ଼ିଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ମହାତ୍ମ୍ୟକୁ ଅଧିକ ଗୁରୁତ୍ବ ବଢାଇବା ବୋଲି ଆଶା କରାଯାଉଛି।