ଓବିସି ସମୁଦାୟକୁ ବଡ ଉପହାର, ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ସଂରକ୍ଷଣ ବିଲ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜ୍ୟକୁ ଓବିସି(ଅନ୍ୟାନ୍ୟ ପଛୁଆ ବର୍ଗ) ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାର ଅଧିକାର ଦେଉଥିବା ୧୨୭ତମ ସାମ୍ଵିଧାନିକ ବିଧେୟକକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଛି। ସଂସଦର ଉଚ୍ଚସଦନରେ ଉପସ୍ଥିତ ସମସ୍ତ ୧୮୬ ସାଂସଦ ଏହି ବିଧେୟକର ସମର୍ଥନ କରିଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ଏବେ ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ପାଇଁ ପଠାଯିବ। ତାଙ୍କ ହସ୍ତାକ୍ଷର ପରେ ଏହା ଆଇନର ରୂପ ନେବ। ନୂତନ ଆଇନ ଜରିଆରେ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟଗୁଡିକୁ ସ୍ଥାନୀୟସ୍ତରରେ ଜାତିକୁ ଓବିସି ତାଲିକାଭୁକ୍ତ କରିବାର ଅଧିକାର ମିଳିବ। ନିକଟରେ ସୁପ୍ରିମକୋର୍ଟ ପକ୍ଷରୁ ମରାଠା ସଂରକ୍ଷଣ ଉପରେ ରୋକ୍ ଲଗାଯାଇଥିଲା। ଏହା ପରେ କେନ୍ଦ୍ର ସରକାର ବିଧେୟକରେ ସଂଶୋଧନ କରି ରାଜ୍ୟଗୁଡିକୁ ଅଧିକାର ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ଉଠାଇଛନ୍ତି।
ରାଜ୍ୟସଭାରେ ବିଧେୟକ ଉପରେ ବିତର୍କ ସମୟରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ନିକଟରେ ସଂରକ୍ଷଣ ସୀମା ସମାପ୍ତ କରିବାକୁ ଦାବି କରିଥିଲେ। ବିଧେୟକ ଉପରେ ଆଲୋଚନା ସମୟରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ଏହି ସଂଶୋଧନ ଆଣି ସରକାର ନିଜର ପୁରୁଣା ଭୁଲ୍ ସୁଧାରିଛନ୍ତି। ମାତ୍ର ଦ୍ଵିତୀୟ ଭୁଲ୍ରେ ଏହି ବିଧେୟକରେ କିଛି ଉଲ୍ଲେଖ କରାଯାଇ ନାହିଁ। ୫୦ ପ୍ରତିଶତ ସଂରକ୍ଷଣ ସୀମା ଉପରେ ବିଲ୍ରେ ପଦୁଏ ମଧ୍ୟ କୁହାଯାଇ ନାହିଁ ବୋଲି ସିଙ୍ଘଭି କହିଛନ୍ତି।
ଏହା ପୂର୍ବରୁ ଲୋକସଭାରେ ମଧ୍ୟ ବିରୋଧୀ ଦଳ ଜାତିଗତ ଜଣଗଣନା କରିବା ଓ ସଂରକ୍ଷଣ ସୀମାକୁ ସମାପ୍ତ କରିବାକୁ ଦାବି କରିଥିଲେ। ଗୃହରେ ଜାରି କ୍ରମାଗତ ହଟ୍ଟଗୋଳ ମଧ୍ୟରେ ଓବିସି ବିଲ୍ ଉପରେ ପ୍ରଥମ ଥର ଏମିତି ଦେଖିବାକୁ ମିଳିଛି, ଯେବେ ସଂସଦର ଉଭୟ ଗୃହରେ ବିନା ହୋ ହାଲ୍ଲାରେ ସୁରୁଖୁରୁରେ କାର୍ଯ୍ୟ ହୋଇଛି। ଉଭୟ ଗୃହରେ ଓବିସି ବିଧେୟକକୁ ଧ୍ଵନି ମତରେ ପାରିତ କରାଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ କୌଣସି ବି ସଦସ୍ୟ ଏହି ବିଧେୟକର ବିରୋଧ କରିନଥିଲେ।