ଜୁଲାଇ ୨୬ରୁ ରାଜ୍ୟରେ ଖୋଲିବ ଦଶମ ଓ ଦ୍ଵାଦଶ ଶ୍ରେଣୀ

ଭୁବନେଶ୍ବର ,(ଓଡିଶା ଟାଇମ୍): କମିଲା କରୋନା ପ୍ରକୋପ। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ସ୍କୁଲ ଓ କଲେଜ୍ ଖୋଲିବା ନେଇ ଶନିବାର ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଖୋଲିବ। ପ୍ରେସବାର୍ତ୍ତାରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ସମସ୍ତ ସରକାରୀ ଓ  ବେସରକାରୀ ବିଦ୍ୟାଳୟ ସୋମବାରଠୁ ଖୋଲିବ ବୋଲି ସଚିବ କହିଛନ୍ତି।

କରୋନା ପ୍ରକୋପ କମିବା ପରେ ରାଜ୍ୟରେ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି। ଦୋକାନ ବଜାରଠୁ ନେଇ ସମସ୍ତ ଗତିବିଧି ଆରମ୍ଭ ହେବାରେ ଲାଗିଛି। ଜୁଲାଇ ୧୬ରେ ନୂତନ ଆଶିଂକ ଗାଇଡ୍‌ଲାଇନ୍‌ ଲାଗୁ କରିବା ପରେ ଶନିବାର ରାଜ୍ୟ ସରକାର ରାଜ୍ୟରେ ସ୍କୁଲ ଖୋଲିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହେବ। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ସେଠାରେ ପରୀକ୍ଷା ପରେ ଖୋଲିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ।

ଗଣଶିକ୍ଷା ସଚିବ କହିଛନ୍ତି ଯେ, ସ୍କୁଲକୁ ଆସିବା ପିଲାମାନଙ୍କ ଇଚ୍ଛାଧୀନ ରହିବ। ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସି ପାରିବେ। ଏଥିସହ ଦଶମ ଓ ଦ୍ଵାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ପୂର୍ବ ପରି ଚାଲୁ ରହିବ। ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ। ଜିଲ୍ଲାପାଳ ନିଜ ଅଞ୍ଚଳରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ଅନୁମତି ଦେବେ। ସ୍କୁଲରେ ଖେଳ ଛୁଟି ଓ ମଧ୍ୟାହ୍ନ ଭୋଜନ ରହିବ ନାହିଁ। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ସମସ୍ତ ଏବଂ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *