ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୮ଜଣ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ ରହିଥିବା ବେଳେ ମୟୁରଭଞ୍ଜ, ପୁରୀ ଜିଲ୍ଲାରୁ ୬ଜଣ ଲେଖାଏଁ ରହିଛନ୍ତି । ବରଗଡ଼ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୩ଜଣ ରହିଛନ୍ତି । ସେହିପରି ଅନୁଗୁଳ, ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର , କଳାହାଣ୍ଡି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।